ଗଞ୍ଜାମ (ଏଟିଆର ବ୍ୟୁରୋ); ସବୁଠି ବହୁଛି ନିର୍ବାଚନୀ ହାୱା । ତେବେ ଖରାର ଗରମଠାରୁ ଆହୁରି ଅଧିକ ଉଷ୍ମ ହେଉଛି ରାଜନୈତିକ ତାତି । ରାଜ୍ୟର ଶାସକ ଦଳ ବିଜେଡି ଚଳିତ ନିର୍ବାଚନରେ ଆରମ୍ଭ କରି ଦେଇଛି ଗୁଣ୍ଡାଗିରି । ମାଡପିଟ କରିବା ସହିତ ହାଣିବା ପାଇଁ ମଧ୍ୟ ପଛଉନଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭଣଜା ମୁଣ୍ଡକୁ ବିଜେଡି ସମର୍ଥକମାନେ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇଥିବା ଅଜିତ ପ୍ରଧାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ,ବୁଧବାର କୁଲାଡରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଥିଲା । ଏହି ସଭାରେ ବହୁ ଜନତା ଯୋଗ ଦେଇଥିଲେ । ତେବେ ସେଠାରୁ ଫେରିବା ପରେ ରାତିରେ ତୁରୁମଗାଁରେ ବିଜେଡି କର୍ମୀଙ୍କ ସହ ବିଜେପି କର୍ମୀଙ୍କ ପାଟତୁଣ୍ଡ ହୋଇଥିଲା । ପରେ ଗଣ୍ଡଗୋଳ ଏତେ ଆଗକୁ ଚାଲିଯାଇଥିଲା ଯେ ହଣାହଣି ହୋଇଥିଲା । ବିଜେଡି ସମର୍ଥିତ ସରପଞ୍ଚ ଟୁଟୁ ପ୍ରଧାନଙ୍କ କିଛି ଲୋକ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନଙ୍କ ଭଣଜାଙ୍କୁ ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ଆରୁଖଙ୍କ ଇଙ୍ଗିତରେ ହୋଇଛି ବୋଲି ଅଭିଯୋଗ ମଧ୍ୟ ହେଉଛି । ତେବେ ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଅଜିତଙ୍କର ।