କେନ୍ଦୁଝର (ଏଟିଆର ବ୍ୟୁରୋ); ପୁଣି ଅଲୋଡା ହେଲା ଶିଶୁ । ଜନ୍ମ ଦେବା ପରେ ପିଲାକୁ ଛାଡିଗଲା ରାକ୍ଷସୀ ମା । ତେବେ ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଜଲଶରପୁର ଗାଁରେ । କେହି ଛୁଆ ଜନ୍ମ ଦେବା ପରେ ଛୁଆକୁ ପୋଲ ତଳେ ଛାଡି ଯାଇଥିଲା । ତେବେ ଭଗବାନଙ୍କ ଦୟାରୁ ସେହି ରାସ୍ତା ଦେଇ ଯାଉଥିବା ସୁଶାନ୍ତ ଦାସ ନାମକ ଜଣେ ଯୁବକ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଶିଶୁକୁ କଟକ ବଡ ମେଡିକାଲରେ ଚିକିତ୍ସା ପାଁ ପଠାଯାଇଛି । ତେବେ ଏହି ଶିଶୁଟି କାହାର ଏବଂ କିଏ ଛାଡି ଯାଇଛି ତାହା ଜଣା ପଡିନାହିଁ ।
ମିଳିଥିବା ସୂଚନା ମୁତାବକ ପୋଲ ତଳୁ ଶୁଭୁଥିଲା ଛୋଟ ଛୁଆର କାନ୍ଦ ସ୍ୱର । ପ୍ରଥମେ ସୁଶାନ୍ତ ଭାବିଥିଲେ କି ପାଖରେ କାହାର ଛୁଆ କାନ୍ଦୁଥିବ । କିନ୍ତୁ କେହି ବି ଦେଖା ନଯାଉଥିବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା । ଏଣୁ ସେ ପୋଲ ପାଖକୁ ଯାଇ ଦେଖିବା ବେଳକୁ ଏକ ନବଜାତ ଶିଶୁ ପୁତ୍ର ପଡିଥିବା ଦେଖିଥିଲେ । ସେ ଶିଶୁଟିକୁ ସଙ୍ଗେସଙ୍ଗେ ଉଦ୍ଧାର କରି ସ୍ଥାନୀୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
କିଛିଦିନ ହେବ ରାଜ୍ୟରେ ନାବାଳିକା ଛୁଆ ଜନ୍ମ କରିବା ଘଟଣା ଲାଗି ରହିଛି । ଏଣୁ କେହି ପାପ ସନ୍ତାନକୁ ଏଠାରେ ଛାଡି ପଳାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । କିନ୍ତୁ କିଏ ଏବଂ କାହିଁକି ପୁଅ ଛୁଆକୁ ଛାଡିକି ଗଲା ତାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ କଥା ହେଉଥିବା ଦେଖିବାକୁ ମିଳିଛି ।