ଅନୁଗୁଳ (ଏଟିଆର ବ୍ୟୁରୋ); ଅପରାଧୀକ ମାମଲାରେ ଦଫା କମ କରାଇ ଦେବା ପାଇଁ ପକେଟ ଗରମ କରୁଥିବା ପୋଲିସ ଏଏସଆଇ ଧରା ପଡିଛନ୍ତି । ତେବେ ପୂର୍ବରୁ ଖବର ପାଇ ଜଗି ବସିଥିବା ଭିଜିଲାଲ୍ସ ହାତରେ ଧରା ପଡିଗଲେ ପୋଲିସ । ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ଅଭିଯୁକ୍ତ ଏଏସଆଇ ହେଲେ ଗଜେନ୍ଦ୍ର ବେହେରା । ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଲୋକ କହୁଛନ୍ତି ଲାଞ୍ଚ ନେଇ ନାମ ନେଲେ ପୋଲିସ ବାବୁ ।
ସୂଚନା ଅନୁଯାୟୀ,କନ୍ତପଡା ଗାଁର ଜଗନ୍ନାଥ ବେହେରା ଏବଂ ତାଙ୍କ ପୁଅ ନାଁରେ ମାରପିଟ ମାମଲା ଥିଲା । ତେବେ ଏହି ମାମଲାରେ ଦଫା କମ କରିବା ପାଇଁ ଗଜେନ୍ଦ୍ର ତାଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ ଆଗରେ ଅଭିଯୋଗ କରିଥିଲେ ଜଗନ୍ନାଥ । ଟଙ୍କା ଦେବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଅନୁଗୁଳ ଏବଂ କଟକ ଭିଜିଲାନ୍ସ ଟିମ ସଜାଗ ହୋଇ ରହିଥିଲେ ।
ଟଙ୍କା ନେଲା ବେଳେ ଗଜେନ୍ଦ୍ରଙ୍କୁ ମାଡି ବସିଥିଲା ଭିଜିଲାନ୍ସ । ଏହାପରେ ପୋଲିସ ବାବୁଙ୍କୁ ଅନୁଗୁଳ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟକୁ ନେଇ ଜେରା କରିଥିଲେ । ନିଜ ଦୋଷକୁ ସ୍ୱୀକାର କରିଛନ୍ତି ଏଏସଆଇ । ଆଜି ସକାଳେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ବହୁ ପୋଲିସ ବାବୁ ନିଜର ପକେଟ ଗରମ କରିବାକୁ ଯାଇ ନାମ ନେଇଥିବାରୁ ନଜିର ରହିଛି ।