ଭଦ୍ରକ (ଏଟିଆର ବ୍ୟୁରୋ); ପୋଲିସ ବାବୁ ଦେଖାଇଛନ୍ତି ଜୁଲମଗିରି । ଦେଖାଇଛନ୍ତି ଖାକିର ପାୱାର । ହାତରେ ବାଡି ଅଛି ବୋଲି ଇନ୍ଦ୍ର ଚନ୍ଦ୍ର ମାନିନାହାଁନ୍ତି । ମନଇଛା ବାପ ବୟସର ବୃଦ୍ଧ ଲୋକଙ୍କୁ ମାଡ ମାରି ଲହୁଲୁହାଣ କରି ଦେଇଛନ୍ତି । ଏଭଳି ଏକ ଲଜ୍ଜା ଜନକ ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାଂଶପାଳ ତୋଟାପଡା ଅଞ୍ଚଳର ପୂର୍ବତନ ସରପଞ୍ଚ ଭାସ୍କର ଜେନାଙ୍କୁ ବାଂଶପାଳ ଥାନା ଅଧିକାରୀ ଅଭିମନ୍ୟୁ ନାୟକ ବିନା କାରଣରେ ମାଡ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସର ଏଭଳି ଅଭାବନୀୟ ଘଟଣା ପାଇଁ ଘୋର ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ, ଭାସ୍କରଙ୍କ ପାରିବାରିକ କଳହ ପାଇଁ ସେ ବାଂଶପାଳ ଥାନାକୁ ଯାଇଥିଲେ । ସେଠାରେ ପୋଲିସ ଉପସ୍ଥିତିରେ ବୁଝାବଣା ହେବା ପରେ ସେ ଘରକୁ ଫେରୁଥିଲେ । ବାଟରେ ବାଂଶପାଳ ଥାନାର କାର୍ଯ୍ୟରତ ଥାନା ଅଧିକାରୀ ଅଭିମନ୍ୟୁ ନାୟକ ତାଙ୍କୁ ଡାକି ପ୍ରଥମେ ଗାଳି ଗୁଲଜ କରିଥିଲେ । ଏବଂ ପରେ ଗୋଡାଇ ଗୋଡାଇ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଭାସ୍କର ଅଭିମନ୍ୟୁଙ୍କ ମାଡରେ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକ ଆସି ପହଁଞ୍ଚିବା ପରେ ଅଭିମନ୍ୟୁ ତାଙ୍କୁ ମାଡ ମାରି ଚାଲିଯାଇଥିଲେ । ପରେ ସ୍ଥାନୀୟ ଲୋକ ଭାସ୍କରଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଛନ୍ତି । ଥାନା ଅଧିକାରୀଙ୍କ ଏଭଳି ଅସଭ୍ୟ ଅଭଦ୍ରାମୀ ପାଇଁ ଭାସ୍କରଙ୍କ ପୁଅ ଏବଂ ଗାଁର କିଛି ଲୋକ ମିଶି ଏସଡିପିଓଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି ।
ଥାନା ଅଧିକାରୀଙ୍କ ଏଭଳି ଅଭଦ୍ରାମୀ ପାଇଁ ଘୋର ନିନ୍ଦା କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ହାତରେ ଥିବା ବାଡି କଣ ଖାଲି ନିରିହ ଲୋକଙ୍କ ଉପରେ ଜୁଲୁମ ଦେଖାଇବା ପାଇଁ? କାରଣ କେଉଁଠି ପୋଲିସ ଦୋଷ କରିଥିଲେ ମଧ୍ୟ ପୋଲିସ ଅଧିକାରୀମାନେ ଭାଇପ୍ରେମ ଦେଖାଇ ଛାଡି ଦେଉଛନ୍ତି ଏବଂ ସାଧାରଣ ଲୋକକୁ ଜେଲକୁ ନେଉଛନ୍ତି । କାରଣ ଗତକାଲି ଏଭଳି ପୋଲିସର ଭାଇ ପ୍ରେମ ଖବର ପ୍ରସାରଣ କରାଇଥିଲା । କେତେକ ପୋଲିସ ଅଧିକାରୀମାନେ ଖାକିର ଅପବ୍ୟବହାର କରୁଥିବା ଦୀର୍ଘଦିନ ହେବ ନଜରକୁ ଆସୁଛି । ପୂର୍ବରୁ ମଧ୍ୟ ଆମେ ପୋଲିସ ବାବୁ ମଦ ପିଇ ଥାନାରେ ଆଇନ ପାଠ ପଢ଼ାଉଥିବା ଏବଂ ରାତିରେ ରାଜଧାନୀରେ ପୋଲିସ କେତେ ଜାଗ୍ରତ ଏଭଳି କିଛି ଖବର ପ୍ରସାରଣ କରିଥିଲୁ । ତେବେ ଆମେ ଆଶା କରୁଛୁ ଏହି ଖବର ପଢ଼ିବା ପରେ ଆଉ କିଛି ପୋଲିସ ବାବୁ ନିଜକୁ ସଜାଡିବାକୁ ଚେଷ୍ଠା କରିବେ ।