ବ୍ରହ୍ମପୁର (ଏଟିଆର ବ୍ୟୁରୋ); ପୁଲିସକୁ ମହଙ୍ଗା ପଡିଲା ସାଦା ପୋଷାକୁ ପିନ୍ଧିବା । ପୁଲିସକୁ ପିଲା ଚୋର ଭାବି ନିର୍ଦ୍ଧୁମ ଛେଚିଲେ ଗାଁଲୋକ । ଲୋକଙ୍କ ମାଡରେ ଚେପା ହୋଇଛନ୍ତି ପୁଲିସବାବୁ । ଶେଷରେ ପୁଲିସକୁ ଉଦ୍ଧାର କରିଛି ପୁଲିସ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଡି ଗାଁରେ । ମାଡ ଖାଇଥିବା ପୁଲିସ ତେଲେଙ୍ଗାନାରୁ ଆସିଥିଲେ । ସେମାନଙ୍କୁ ସ୍ଥାନୀୟ ପାଟପୁର ପୁଲିସ ଉଦ୍ଧାର କରିଛି । ମାଡରେ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁଲୋକଙ୍କୁ ଡାକି ପଚରା ଉଚରା କରୁଛି ପୁଲିସ ।
ପୁଲିସ ସୂଚନା ଅନୁଯାୟୀ, ଡେଙ୍ଗାଡି ଗ୍ରାମର ଜଣେ ବ୍ୟକ୍ତି ହାଇଦ୍ରାବାଦ ସୁନା ଦୋକାନରେ କାମ କରୁଥିଲେ । ତେବେ ସେ ସେଠାରୁ ଚୋରୀ କରି ଫେରାର ହୋଇଥିବା ଅଭିଯୋଗ ହୋଇଥିଲା । ଏଣୁ ତେଲେଙ୍ଗାନାରୁ ୧୦ ଜଣିଆ ଟିମ ଗାଁକୁ ଆସିଥିଲେ । ସେମାନେ ସାଦା ପୋଷାକ ପିନ୍ଧି ଆସି ଗାଁରେ ପହଁଞ୍ଚିଥିଲେ । ଗାଁଲୋକ ସେମାନଙ୍କୁ ପିଲା ଚୋର ଭାବି ପୁଲିସ ବାବୁ ମାନଙ୍କୁ ନିର୍ନ୍ଧୁମ ଛେଚିଥିଲେ । ସ୍ଥାନୀୟ ପାଟପୁର ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଆହତଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ତେଲେଙ୍ଗାନା ପୁଲିସ ଏତଲା ଦେବାପରେ ଗାଁଲୋକଙ୍କୁ ଥାନାକୁ ଡକାଇ ପଚରା ଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ପାଟପୁର ପୁଲିସ ।