ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଦିନକୁ ଦିନ ଲୁଟେରାଙ୍କ ଉତପାତ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରେ ମାତିଛନ୍ତି ଲୁଟେରା । ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୮୯ ହଜାର ୮ ଶହ ଟଙ୍କା ଏବଂ ତାଙ୍କ ସ୍କୁଟି ଲୁଟି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରଙ୍ଗ ରୋଡ ବଡଶଙ୍ଖ ନିକଟରେ ଘଟିଛି ଏଭଳି ଘଟଣା । ଥାନାରେ ଅଭିଯୋଗ କରିଛନ୍ତି ମହିଳା ।
ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହିଳା ହେଲେ ବବିତା ପାତ୍ର । ସେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କାମ କରନ୍ତି । ରବିବାର ସେ ଟଙ୍କା ନେଇ ଆସୁଥିଲେ । ବଡଶଙ୍ଖ ନିକଟରେ ତିନିଜଣ ଯୁବକ ଏକ ପଲସର ବାଇକରେ ଆସି ବବିତାଙ୍କୁ ଅଟକାଇଥିଲେ । ବବିତା ସେମାନଙ୍କ କଥା ନଶୁଣି ଆଗକୁ ପଳାଇବାକୁ ଚେଷ୍ଟା କରୁଥିଲେ ।
ଦୁର୍ବୃତ୍ତଙ୍କୁ ପାସ କରି ଆଗକୁ ଯାଉଥିବା ବେଳେ ସେମାନେ ବବିତାଙ୍କୁ ଧକ୍କା ଦେଇଥିଲେ । ଧକ୍କାରେ ବବିତା ତଳେ ପଡି ଯାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ଟଙ୍କା ଛଡାଇ ନେଇଥିଲେ । ବବିତା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ମାଡ ମାରି ଟଙ୍କା ଏବଂ ସ୍କୁଟିକୁ ଲୁଟ କରି ନେଇଥିଲେ ଦୁର୍ବୃତ୍ତ । ଏହାପରେ ଆହତ ମହିଳା ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।