ବରଗଡ (ଏଟିଆର ବ୍ୟୁରୋ); ଖାକିରେ ଦାଗ ଲଗାଇଲେ ଏଏସଆଇ । ଶେଷରେ ରକ୍ଷକ ହୋଇ ଭକ୍ଷକ ସାଜିଲେ । ବରଗଡ ଜିଲ୍ଲା ମେଳଛାମୁଣ୍ଡା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜଣେ ଯୁବକ ସହ ମିଶି ପୋଲିସ ବାବୁ ଦୁଷ୍କର୍ମ କରିଥିଲେ । ତେବେ ଅଭିଯୁକ୍ତ ହେଲେ ସୋହେଲା ଥାନାର ଏଏସଆଇ ବନମାଳି କୁଅଁର । ଆଜି ତାଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଗତକାଲି ଅଭିଯୋଗ ହେବା ପରେ ଏସପି ଏଏସଆଇ ବନମାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୮ତାରିଖ ସକାଳ ସାଢେ ୬ଟାରେ ସମ୍ପୃକ୍ତ ନାବାଳିକା ଟ୍ୟୁସନକୁ ଯାଇ ଆଉ ଘରକୁ ଫେରିନଥିଲା। ଶନିବାର ରାତି ୮ଟାରେ ମେଲଛାମୁଣ୍ଡା ପୁଲିସ ନିଖୋଜ ନାବାଳିକାକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ତେବେ, ଘରେ ପହଞ୍ଚି ନାବାଳିକା ଚାଞ୍ଚଲ୍ୟକର ବୟାନ ଦେଇଥିଲା। ସେ କହିଥିଲା ଯେ, ୮ତାରିଖ ସକାଳେ ବରଗଡର ରିକୁ ନାଗ ତାକୁ ବାଇକରେ ବସାଇ ସୋହେଲା ଆଣିଥିଲା। ରିକୁ ସୋହେଲା ଥାନା ଆଗରେ ବାଇକ ରଖି ଏଏସଆଇ ବନମାଳୀ କୁଅଁରଙ୍କ ଠାରୁ ତାଙ୍କ ଭଡ଼ା ଘରର ଚାବି ଆଣଥିଲା। ସେହି ଘରେ ଦୁଷ୍କର୍ମ କରିବା ପରେ ବାହାରୁ ତାଲା ମାରି ରିକୁ ପଳାଇଥିଲା।
ଏହାପରେ ଏଏସଆଇ ଛାତ୍ରୀଙ୍କ ମୁହଁରେ କପଡା ବାନ୍ଧି ଥାନା ପରିସରରେ ଥିବା ଏକ ବନ୍ଦ କୋଠରୀକୁ ଆଣିଥିଲେ । ପରେ ମନଭରି ଉପଭୋଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏଥିରେ ଯୁବତୀ ଜଣକ ବେହୋସ ହୋଇ ଯାଇଥିଲେ । ମାତ୍ର ଭୋର ସମୟରେ ଚେତା ଫେରିବା ପରେ ପୁଣିଥରେ ଦୁଷ୍କର୍ମ କରିଥିଲେ ପୋଲିସ ବାବୁ । ପୋଲିସ ନାବାଳିକାଙ୍କ ୧୬୪ରେ ବୟାନ ରେକର୍ଡ ମଧ୍ୟ କରିଛି ।ସେପଟେ ପ୍ରେମିକ ରିକୁ ନାଗ ବିରୋଧରେ ଦୁଷ୍କର୍ମ ମାମଲା ଓ ପୀଡିତା ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୋଲିସ ।
ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକର ଇଜ୍ଜତ ଉପରେ । ଯେଉଁଠି ରକ୍ଷକ ଭକ୍ଷକ ସାଜିବ ସେଠାରେ କିଏ ବା ଶାହା ହେବ । ଅପରାଧ କରୁଥିବା ଲୋକଙ୍କୁ ସାବାଡ କରୁଥିବା ପୋଲିସ ଯଦି ଏଭଳି କାର୍ଯ୍ୟରେ ଲିପ୍ତ ରହିବ ଏହା ଠାରୁ ଆଉ ବଡ ଲଜ୍ଜା କଣ ହୋଇପାରେ । ଫସଲକୁ ରକ୍ଷା କରିବା ପାଇଁ ବାଡ ଲଗା ଯାଇଥାଏ । ମାତ୍ର ବାଡ ଯଦି ଫସଲ ଖାଇବ ତେବେ ଫସଲକୁ କିଏ ବା ଜଗିବ । ଯେଉଁଠି ପୋଲିସ ନାବାଳିକାଦୁଷ୍କର୍ମ କରିବାରେ ସହଯୋଗ କରିବା ସହ ନିଜେ ଦୁଷ୍କର୍ମ କରୁଛି ସେଠାରେ କିଏ ଶାହା ହେବ । ତେବେ ଏବେ କିଛିଦିନ ହେବ ପୋଲିସ ବାବୁମାନେ ଅନିତି କାମରେ ଲିପ୍ତ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେଉଁଠି ପୋଲିସ ବାବୁ ମଦ ପିଇ ଥାନାରେ ଆଇନ ପାଠ ପଢ଼ାଉଛନ୍ତି ତ ଆଉ କେଉଁଠି ରାସ୍ତା କଡରେ ପଡୁଛନ୍ତି ।