ନୟାଗଡ (ଏଟିଆର ବ୍ୟୁରୋ); ଯୁଗ ଯେତେ ଆଗକୁ ଗଲେ ମଧ୍ୟ ଗାଁଲୋକ ଅନ୍ଧ ବିଶ୍ୱାସ ଭିତରେ ରହି ଯାଇଛନ୍ତି । ଚୋରି କରିଥିବା ଅଭିଯୋଗରେ ଗୋଟିଏ ପରିବାରକୁ ଲୋକ ନିର୍ଦ୍ଧୁମ ଛେଚିଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଥିବା ଆହତ ପରିବାର ଏବେ ଗାଁକୁ ଯିବାକୁ ଭୟ କରୁଛନ୍ତି । ନୟାଗଡ ଜିଲ୍ଲା ରଣପୁର ଥାନା କୋଟଗଡ ଗାଁରୁ ଆସିଛି ଏଭଳି ଅଭିଯୋଗ । ଥାନାରେ ଆହତଙ୍କ ପରିବାର ଅଭିଯୋଗ କରିଛନ୍ତି । ପୋଲିସର ତଦନ୍ତ ଜାରି ।
ମିଳିଥିବା ସୂଚନା ମୁତାବକ, କୋଟଗଡ ଗାଁରେ ଜଣଙ୍କର ଚୋରି ହୋଇଥିଲା । ଅଭିଯୋଗ କରିବା ପରେ ଗ୍ରାମସଭା ବସିଥିଲା । ଗାଁଲୋକଙ୍କ ନିଷ୍ପତି ଅନୁଯାୟୀ ଖଟ ବୁଲା ହୋଇଥିଲା । ପୂର୍ବରୁ ଅନ୍ଧ ବିଶ୍ୱାସ ରହିଛି କି ଖଟ ଠାକୁର ବୁଲିଥାନ୍ତି । ଯିଏ ମୁଦ୍ଧା ହୋଇଥାଏ ତାଦେହରେ ମାଡ ହୋଇଥାଏ । ତେବେ ଗାଁର ଯାହା ଦେହରେ ବାଜିଥିଲା ତାକୁ ଚୋର ବୋଲି ଗାଁଲୋକ କହିଥିଲେ ।
ତେବେ ସେମାନେ ଚୋରି କରିନାହାଁନ୍ତି ବୋଲି ଅନୁରୋଧ କରିବା ପରେ ମଧ୍ୟ ମାନିନଥିଲେ ଗାଁଲୋକ । କଙ୍ଗାରୁ କୋର୍ଟ ବସାଇ ମୁଦ୍ଧା ଧରିଥିବା ପରିବାରକୁ ଛେଚିଥିଲେ । ଏହାପରେ ଆହତ ପରିବାର ଲୋକ ରାଜସୁନାଖଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବେ ସ୍ୱାସ୍ଥ୍ୟ ଚିକିତ୍ସାପରେ ଘରକୁ ଯିବାକୁ ମଧ୍ୟ ପୁଣିଥରେ ମାଡ ଭୟ ରହିଛି । ଏଣୁ ସେମାନେ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ତଦନ୍ତ ଆରମ୍ଭ କରିଛି ପୋଲିସ ।