କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପୋଲିସଠାରୁ ଚାଲାକ ହେଲା ଚୋର । ଥାନାରୁ ଲୁଚି ଚମ୍ପଟ ମାରିଛି ଚୋର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାରୁ ଜଣେ ଚୋର ଖସି ପଳାଇଛି । ତେବେ ପୋଲିସର ଅବହେଳା ପାଇଁ ଚୋର ଥାନାରୁ ଖସି ପଳାଇବାରେ ସଫଳ ହୋଇଛି । କେତେକ ପୋଲିସ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଚୋର ସହ ପୋଲିସର ଲିଙ୍କ ରହିଛି । ଚୋରକୁ ଛାଡି ଦେଇ ଫେରାର ହୋଇଯାଇଥିବାର ରୂପ ଦେଉଛି ପୋଲିସ । ଫେରାର ହୋଇ ଯାଇଥିବା ଚୋର ହେଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ ମୁଲବସନ୍ତ ଗାଁର କିରଣ ସେଠୀ ।
ସୂଚନା ଅନୁଯାୟୀ,ଗତକାଲି ରାତିରେ ଆଳି ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗାଁରେ ସୌମ୍ୟରଞ୍ଜନ ସାହୁଙ୍କୁ ବାଇକ ଚୋରି ନେଇଯିବା ପାଇଁ ଚେଷ୍ଟା କରିଥିଲେ ୪ଜଣ ଚୋର । ତେବେ ଚୋରି କରି ନେଇ ଯାଉଥିବା ସମୟରେ ଗାଁଲୋକ ସେମାନଙ୍କୁ ଧରି ପକାଇଥିଲେ । କୌଶଳ କ୍ରମେ ୩ଜଣ ଖସି ପଳାଇଥିବା ବେଳେ କିରଣ ସେଠୀ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।
କିରଣକୁ ଧରିବା ପରେ ଗାଁଲୋକ ତାକୁ ଉତ୍ତମ ମଧ୍ୟମ ଦେଇଥିଲେ । ମାଡ ମାରିବା ପରେ ଚୋରକୁ ନିଆଳି ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ତେବେ ଗତକାଲି ରାତିରେ ପୋଲିସ ଜିମା ଦେଇଥିବା ଚୋର ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଛି । ଏଣୁ ପୋଲିସର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୋଲିସର ଖାମ ଖିଆଲି ମନୋଭାବ ପାଇଁ ଚୋର ଫେରାର ହୋଇଯାଇଛି ।