କେନ୍ଦୁଝର (ଏଟିଆର ବ୍ୟୁରୋ); ଜଙ୍ଗଲରୁ ମିଳିଲା ଯୁବକ ଯୁବତୀଙ୍କ ମୃତ ଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ହାତୀଶିଳା ଜଙ୍ଗଲରେ । ମୃତକ ଦ୍ୱୟ ହେଲେ ହାତୀଶିଳା ଗ୍ରାମର ଲୁଲୁ ସନଙ୍ଗି (୪୦) ଏବଂ ଯୁବତୀ ଜଣକ ହେଲେ ମୁଣ୍ଡୁଳା ଗ୍ରାମର ସେପିରି ସନଙ୍ଗି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣା ପଡିଛି । ତେବେ ସେମାନଙ୍କ ମୃତଦେହ ପାଖରୁ କୀଟନାଶକ େଔଷଧ ମିଳିଥିବା ବେଳେ ଲୁଲୁ ଜଣେ ବିବାହିତ ପୁରୁଷ ଏବଂ ତାଙ୍କର ଦୁଇ ସ୍ତ୍ରୀ ଥାଇ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହେଉଛି । ତେବେ ପୋଲିସ ଖବର ପାଇବା ପରେ ଉଭୟଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି ।
୪୦ ବର୍ଷୀୟ ଲୁଲୁ ଦୁଇ ଜଣଙ୍କ ବିବାହ କରିଥିବା ବେଳେ ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି । ତଥାପି ସେ ସେପିରିଙ୍କ ସହିତ ପ୍ରେମ ସମ୍ପର୍କରେ ରହିଥିଲେ । ଯାହାକୁ ନେଇ ଦୀର୍ଘଦିନ ହେବ ପରିବାରରେ କଳହ ଲାଗି ରହିଥିଲା । ତେବେ ୧୦ଦିନ ହେବ ଲୁଲୁ ଏବଂ ସେପିରି ନିଖୋଜ ଥିଲେ । କିନ୍ତୁ ଆଜି ସକାଳୁ ଉଭୟଙ୍କ ମୃତ ଦେହ ସ୍ଥାନୀୟ ହାତୀଶିଳା ଜଙ୍ଗଲରେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ଦୁହିଁଙ୍କ ଶବ ପାଖରେ ଏକ କୀଟନାଶକ ଔଷଧ କଡିଥିବା ଦେଖିବାକୁ ପାଇଥିଲା । ଏବଂ ଘରକୁ ଯାଇ ଖୋଜିବା ପରେ ଏକ ହାତ ଲେଖା ଚିଠି ମଧ୍ୟ ପାଇଥିଲା । ଯେଉଁଥିରେ ଲେଖାଥିଲା ମୋତେ ଆଉ ଖୋଜିବନି । ଯାହାକୁ ନେଇ ସନ୍ଦେହ ହେଉଛି ।
କେହି କେହି ଏହାକୁ ନେଇ ବିଭିନ୍ନ ପ୍ରକାର କଥା ଉଠାଉଛନ୍ତି । କିଏ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ଆଉ କିଏ ହତ୍ୟାର ରୂପ ଦେଉଛି । ମୋତେ ଆଉ ଖୋଜିବନି ଲେଖିବାର କାରଣ ହେଉଛି ସେ ଘର ଛାଡି ଯୁବତୀଙ୍କ ସହିତ ଫେରାର ହେବା ପାଇଁ ଚାହୁଁଥିଲେ । ଯାହାକୁ ଜାଣିବା ପରେ ଉଭୟ ପତ୍ନୀ ଏବଂ କେହି ସମ୍ପର୍କୀୟ କିମ୍ବା ଯୁବତୀଙ୍କ ପରିବାର ଲୋକ ହତ୍ୟା କରୁଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକ । ତେବେ ଆଉ କେହି କେହି କହୁଛନ୍ତି କି ଦୁହେଁ ଆତ୍ମହତ୍ୟା କରିଛନ୍ତି । କାରଣ ଦୁଇଟି ସ୍ତ୍ରୀ ଥିବାରୁ ପ୍ରେମ ସଫଳ ହୋଇ ବିବାହ ହୋଇ ପାରିବ ନାହିଁ ଏଣୁ ଉଭୟ ଆତ୍ମହତ୍ୟା କରିଛନ୍ତି । ତେବେ ସେ ଯାହାବି ହେଉ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସତ ପଦାରେ ପଡିବ ବୋଲି ପୋଲିସ ସୂଚନା ଦେଇଛି ।