ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ଶନିବାର ଦିନ ଚନ୍ଦ୍ରଶେଖରପୁରର ଏକ ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ ଚୋର । ଆଉ ଚୋରି କରିବାର ଉପାୟ ବି ଥିଲା କିଛି ନିଆରା । ଭିଆଇପି ଭଳି ପୋଷାକ ପିନ୍ଧି ବିବାହ ମଣ୍ଡପ ଭିତରକୁ ଆସିଥିଲେ ଚୋର ମାନେ । ଖାଲି ଏତିକି ନୁହେଁ ବିବାହ ଭୋଜିରେ ଖାଦ୍ୟ ମଧ୍ୟ ଖାଇଥିଲେ । ଆଉ ସୁଯୋଗ ଦେଖି ଲୁଟି ନେଇଥିଲେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ମାମଲା ରୁଜୁ କରାଯାଇଥିଲା ।
ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିବାହ ମଣ୍ଡପରେ ଲଗାଯାଇଥିବା ସିସିଟିଭି ଫୁଟେଜରେ ଚୋରିର ସମସ୍ତ ଦୃଶ୍ୟ କଏଦ୍ ହୋଇଥିଲା । ଏହାକୁ ଦେଖି ପୋଲିସ ତଦନ୍ତ କରୁଥିଲା । ତେବେ ଆଜି ପୋଲିସ ଜଣେ ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ଗଣପତି ସାହୁ । ପୋଲିସର ସୂଚନା ଅନୁସାରେ ଗଣପତି କିଛି ଦିନ ହେବ ଭୁବନେଶ୍ୱରରେ ରହିଆସୁଛି । ଗଣପତିଙ୍କ ସାଥୀ ଫେରାର ଥିବା ଜଣାପଡିଛି ।
ଅନ୍ୟପଟେ ଖଣ୍ଡଗିରି ପୋଲିସ ଆଉ ଏକ ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଶେଖ୍ ଅବଦୁଲ ଲତିଫ । ଲତିଫ ବିବାହ ମଣ୍ଡପରୁ ସିରିଜ ଚୋରି କରିଥିବା ଜଣାପଡିଛି । ତା ନିକଟରୁ ୪ ଲକ୍ଷ ଟଙ୍କା, ସୁନାଗହଣା ଓ ବାଇକ ଜବତ କରିଛି ପୋଲିସ ।