କଟକ (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ହମଲାରେ ଭାରତର ୪୪ ବୀର ଯବାନ ସହୀଦ ହେବା ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଛି କଳହ । ପାକିସ୍ତାନ ଉପରେ କଡା ଯବାବ ନେବା ପାଇଁ ଦେଶବାସୀ ଦାବି କରୁଆସୁଛନ୍ତି । ଯାହା ମନକୁ ଯାହା ଆସୁଛି ସମସ୍ତେ ପାକିସ୍ତାନକୁ ଗାଳି ଦେଉଥିବା ବେଳେ ଦୁଇଜଣ ଯୁବକ ପାକିସ୍ତାନ ସପକ୍ଷରେ କହି ଉତ୍ୟକ୍ତ ଲୋକଙ୍କ ଶିକାର ହୋଇଛନ୍ତି । ଲୋକଙ୍କ ଠାରୁ ନିର୍ଦ୍ଧୁମ ଛେଚା ଖାଇବା ପରେ ଶେଷରେ ଥାନାରେ ଅଟକ ରହିବାକୁ ପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ମହାଦେବପାଲି ନିକଟରେ ।
ମିଳିଥିବା ସୂଚନା ମୁତାବକ ବରଗଡରୁ କଟକ ଯାଉଥିବା ଏକ ଘରୋଇ ବସରେ ଦୁଇ ଜଣ ଯୁବକ ମହାଦେବପାଲି ଛକ ନିକଟରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିଲେ । ଯାହାକୁ ନେଇ ବସରେ ଥିବା ଯାତ୍ରୀମାନେ ବିରୋଧ କରିଥିଲେ । ପ୍ରଥମେ ଯୁବକମାନେ ଯାତ୍ରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ । ତେବେ ଯୁବକ ଦ୍ୱୟ ଅଧିକ ଗାଲୁଆମି କରିବା ପରେ ଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା ଏବଂ ଲୋକମାନେ ଯୁବକଦ୍ୱୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ତେବେ ଏହି ଖବର ପୋଲିସ ନିକଟରେ ପହଁଞ୍ଚିବା ପରେ ଘଟଣାସ୍ଥଳରେ ପହଁଞ୍ଚି ଯୁବକଦ୍ୱୟଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ତେବେ ଏହି କାରଣରୁ ମାଡ ହୋଇଛି କି ଅନ୍ୟ କୌଣସି କାରଣରୁ ଯୁବକଙ୍କୁ ମାଡ ହୋଇଛି ତାର ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ ସବିଶେଷ ସତ୍ୟ ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ସୋନପୁର ଏସଡିପିଓ ।