ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମକାରୀଙ୍କ ସଂଖ୍ୟା । ଏମାନଙ୍କ ଆଗରେ କେହି ବି ପଡୁ ନାହାଁନ୍ତି ବାଦ । ସେ ଶିଶୁ ହେଉ ବା ବୃଦ୍ଧା । ସମସ୍ତଙ୍କୁ ହେବାକୁ ପଡୁଛି ଯୌନ ଶୋଷଣର ଶିକାର । ନିଜ ଦେହର ଭୋକ ମେଣ୍ଟେଇବାକୁ ଯାଇ ସମ୍ପର୍କ ଏବଂ ବୟସର ତାରତମ୍ୟ ଭୁଲିଯାଉଛନ୍ତି ଅନେକ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତାଳକୁଣ୍ଡା ଗାଁରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା ।
ସୂଚନା ଅନୁଯାୟୀ, ଗତ ୪ ତାରିଖରେ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଦାଦା ନେଇ ଯାଇଥିଲେ । ବୁଲେଇବା ନାଁରେ ଗାଁ ମୁଣ୍ଡରେ ଏକ ଗଛମୂଳେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକାଙ୍କୁ ଛାଡି ଫେରାର ହୋଇଯାଇଥିଲା । ପରିବାର ଝିଅକୁ ବହୁ ଖୋଜାଖୋଜି କରିବା ପରେ ଗଛମୂଳରୁ ଉଦ୍ଧାର କରିଥିଲେ । ଉଦ୍ଧାର କଲା ବେଳକୁ ଝିଅଟି କାନ୍ଦୁଥିଲା ।
ଝିଅର ମୁହଁରେ ଦାଗ ହେବା ସହିତ ଜୋରରେ କାନ୍ଦୁଥିଲା । ତେବେ ଦାଦା ଘଟଣା ଘଟିବା ଦିନଠାରୁ ଫେରାର ହୋଇଯାଇଛି । ଏଣୁ ନାବାଳିକାଙ୍କ ପରିବାର ସନ୍ଦେହ କରିଛନ୍ତି କି ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଛି । ଗତକାଲି ସଂନ୍ଧ୍ୟାରେ ନାବାଳିକାଙ୍କ ମା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଛି । ଏହି ରିପୋର୍ଟ ଆସିବା ପରେ ଘଟଣାର ତଦନ୍ତ ଜୋରଦାର ହେବ ବୋଲି ପୋଲିସ ସୂଚନା ଦେଇଛି ।