କୋରାପୁଟ (ଏଟିଆର ବ୍ୟୁରୋ); ପୁଣିଥରେ ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କର ଦାଗ । ବାପା ବୟସର ସାରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ଧରାପଡିଯାଇଥିଲେ ଲୋକଙ୍କ ହାବୁଡରେ । ଫଳରେ ଗାଁ ଲୋକ ନିର୍ଦ୍ଧୁମ ଛେଚିବା ପରେ ସାରଙ୍କୁ ପାଇଖାନା ଭିତରେ ବନ୍ଦ କରିରଖିଥିଲେ । ତେବେ ସବୁଠାରୁ ଲଜ୍ଜା ଜନକ ଘଟଣା ହେଉଛି ଅସଦାଚରଣର ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ଦେବା ବଦଳରେ ପିଡିତାଙ୍କ ପରିବାରକୁ ମାତ୍ର ୫୦ ହଜାର ଟଙ୍କା ଦେଇ କେସର ଦଫାରଫା କରିଛନ୍ତି ସ୍ଥାନୀୟ ନେତା ଏବଂ କିଛି ଲାଞ୍ଚୁଆ ସାମ୍ବାଦିକ । ତେବେ ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଳକ ଅନ୍ତର୍ଗତ କାଠପଡା ପଞ୍ଚାୟତର ଏକ ପ୍ରାଥମିକ ବିଦ୍ୟାଳୟରେ ।
ମିଳିଥିବା ସୂଚନା ମୁତାବକ ଛାତ୍ରୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଶିକ୍ଷକ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ସେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଗାଁ ଲୋକ ସାରଙ୍କୁ ମାଡ ମାରିବା ସହିତ ପାଇଖାନାରେ ବନ୍ଦ କରିରଖିଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳର କିଛି ନେତା ଘଟଣାସ୍ଥଳରେ ପହଁଞ୍ଚି ଶିକ୍ଷକ ଏବଂ ପିଡିତାଙ୍କ ପରିବାର ଲୋକଙ୍କୁ ନେଇ ବୁଝାଶୁଝା କରିଥିଲେ । ଘଟଣା ବାହାରେ ପ୍ରଘଟ ହେଲେ ପରିବାର ଏବଂ ଝିଅର ଭବିଶ୍ୟତ ନଷ୍ଟ ହେବ ବୋଲି ଡରାଇ ଦେଇଥିଲେ ଫଳରେ ପିଡିତାଙ୍କ ପରିବାର ପଇସା ବଳରେ ସାଲିସ କରିବା ପାଇଁ ବାଧ୍ୟ ହୋଇଥିଲେ । ମାତ୍ର ୫୦ ହଜାର ଟଙ୍କା ଦେଇ ମାମଲାର ଦଫାରଫା କରିଥିଲେ ।
ସେପଟେ ଘଟଣା ପ୍ରଘଟ ହେଲେ କିମ୍ବା ମାମଲା ଥାନାକୁ ଗଲେ ଚାକିରୀ ଚାଲିଯିବ ବୋଲି ଶିକ୍ଷକଙ୍କୁ ଭୟ ଦେଖାଇଥିଲେ । ଏଣୁ ଶିକ୍ଷକ ପଇସା ଦେବା ପାଇଁ ରାଜି ହୋଇଥିଲେ । ଶିକ୍ଷକଙ୍କଠାରୁ ୮୦ ହଜାର ବୁଲାଇ ପିଡିତାଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେଇଥିଲେ । ବାକି ୩୦ ହଜାର ଟଙ୍କା ନେତା ଏବଂ କିଛି ହାତଗଣତି ସାମ୍ବାଦିକ ଭାଗ ବାଣ୍ଟି ନେଇଥିବା ଶୁଣିବାକୁ ମିଳୁଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି । ତେବେ ଏହି ଘଟଣା ସମ୍ପର୍କରେ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ ।