ଦେବଗଡ (ଏଟିଆର ବ୍ୟୁରୋ); ସାବିତ୍ରୀ ନିଜ ସ୍ୱାମୀଙ୍କୁ ଜମ ଲୋକରୁ ଫେରାଇ ଆଣିଥିଲେ । କିନ୍ତୁ ସତ୍ୟବାନ କେବେ ସାବିତ୍ରୀଙ୍କୁ ଜମଲୋକକୁ ପଠାଇ ଦେବ ତାହା କଳ୍ପନା କରାଯାଇନଥିଲା । ପବିତ୍ର ସାବିତ୍ରୀ ବ୍ରତରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିଥିଲା ସ୍ତ୍ରୀ । କିନ୍ତୁ ସବୁକିଛି ଭୁଲିଯାଇ ଟାଙ୍ଗିଆରେ ସ୍ତ୍ରୀକୁ ଅତି ନୃଂଶସ ଭାବରେ ହାଣିଲା ସ୍ୱାମୀ । ଦେବଗଡ ଜିଲ୍ଲା ବାରକୋଟ ଥାନା କାଦୋପଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଲକ୍ଷ୍ମୀ କୁମ୍ଭାରଙ୍କୁ ତାଙ୍କ ସ୍ୱାମୀ ମନୋଜ କୁମ୍ଭାର ହାଣିବା ପରେ ଫେରାର ହୋଇଯାଇଛି । ପୋଲିସ ଘଟଣାର ତନାଘନା କରୁଛି ।
ସୂଚନା ଅନୁଯାୟୀ,ଲକ୍ଷ୍ମୀ ଏବଂ ମନୋଜ ଚାରି ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଉଭୟ ବିବାହ ପରେ ଉଭୟ ଖୁସିରେ ରହୁଥିଲେ । ବିବାହ ପରେ ମନୋଜ ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ରାଉରକେଲାରେ ମିସ୍ତ୍ରୀ କାମ କରୁଥିଲେ ମନୋଜ । ତେବେ ଶ୍ୱଶୁର ଘରେ ରହିବା ଦିନଠାରୁ ମନୋଜ ଏବଂ ଲକ୍ଷ୍ମୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିବା ପଡୋଶୀମାନେ କହିଛନ୍ତି । ସେମାନଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି ।
ତେବେ ଗତକାଲି ସାବିତ୍ରୀ ବ୍ରତରେ ଘରକୁ ଆସିଥିଲେ ମନୋଜ । ଶୁଭ ଦିନରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ଶେଷରେ ଉଗ୍ରରୂପ ନେଇଥିଲା । ମନୋଜଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ସେ ଘରେ ଥୁଆ ହୋଇଥିବା ଟାଙ୍ଗିଆରେ ସ୍ତ୍ରୀଙ୍କୁ ମାରି ଦେଇଥିଲେ । ଏହାପରେ ସେ ନିଜ ଝିଅକୁ ଧରି ଫେରାର ହୋଇଯାଇଥିଲେ । ପଡୋଶୀ ଲକ୍ଷ୍ମୀଙ୍କ ପାଟିଶୁଣି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ପ୍ରଥମେ ବାରକୋଟ ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଦେବଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଦେବଗଡ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲକ୍ଷ୍ମୀଙ୍କ ବାପା ଏହି ଖବର ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଏହି ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତନାଘନା ଚଳାଇଛି । ତେବେ ସାବିତ୍ରୀରେ ସ୍ୱାମୀ ସ୍ତ୍ରୀକୁ ମାରିଥିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।