କେନ୍ଦୁଝର (ଏଟିଆର ବ୍ୟୁରୋ); ଶ୍ୱଶୁର ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସାଙ୍ଗରେ ଦୁଇଜଣଙ୍କୁ ମଧ୍ୟ ସାଙ୍ଗରେ ନେଇଥିଲେ ଯୁବକ । ସ୍ତ୍ରୀକୁ ମେଳନକୁ ଡାକିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଏକ ନିଛାଟିଆ ସ୍ଥାନକୁ ନେଇ ଦେହରେ କିରୋସିନ ଢ଼ାଳି ପୋଡି ଦେଇଥିଲା ନୃଂଶସ ସ୍ୱାମୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର କୋଇଲାପାଳ ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୃତ ମହିଳା ହେଲେ ଲିଜା । ଅଭିଯୁକ୍ତ ପ୍ରଫୁଲ୍ଲ ନାୟକଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି ଲିଜାଙ୍କ ବାପା ଘର ଲୋକ ।
ବର୍ଷେ ପୂବେ ଲିଜା ଏବଂ ପ୍ରଫୁଲ୍ଲଙ୍କ ମଧ୍ୟରେ ବିବାହ ହୋଇଥିଲା । ଉଭୟ କିଛି ଦିନ ସାଙ୍ଗ ହୋଇ ରହିଥିଲେ । ତେବେ ବିବାହର ୬ମାସ ପରେ ଶାଶୂଘର ଲୋକ ନିର୍ଯ୍ୟାତନା ଦେଉଥିବାରୁ ଲିଜା ଆସି ବାପା ଘରେ ରହୁଥିଲେ । ମଝିରେ ମଝିରେ ପ୍ରଫୁଲ୍ଲ ଶ୍ୱଶୁର ଘରକୁ ମଧ୍ୟ ଆସନ୍ତି । ତେବେ ରଜରେ ଶ୍ୱଶୁର ଘର ଗାଁରେ ଯାତ୍ରା ହେଉଥିବାରୁ ଆସିଥିଲେ ।
ପ୍ରଫୁଲ୍ଲ ଦୁଇ ଜଣ ସାଙ୍ଗଙ୍କ ସହ ଆସିଥିଲେ । ସେ ଲିଜାଙ୍କୁ ମଧ୍ୟ ସେଠାକୁ ଡାକିଥିଲେ । ଯାତ୍ରାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ସେମାନେ ଏକ ନିଛାଟିଆ ସ୍ଥାନକୁ ନେଇ ତିନିଜଣ ମିଶି ପୋଡି ଦେଇଥିଲେ । ଅଧାପୋଡା ଅବସ୍ଥାରେ ଘରକୁ ଧାଇଁ ଆସିଥିଲେ ଲିଜା । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲିଜାଙ୍କ ବାପା ଥାନାରେ ପ୍ରଫୁଲ୍ଲଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୋଲିସର ତଦନ୍ତ ଜାରି ।