ଗଞ୍ଜାମ (ଏଟିଆର ବ୍ୟୁରୋ); ମାତ୍ର ହଜାର ଟଙ୍କା ପାଇଁ ବନ୍ଧୁତ୍ୱ ଭୁଲିଗଲା ସାଙ୍ଗ । ଶେଷରେ ଟଙ୍କା ପାଇଁ ସାଙ୍ଗକୁ ଅତି ନୃଂସଶ ଭାବରେ ହତ୍ୟା କଲା ସାଙ୍ଗ । ତେବେ ଏଭଳି ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁବାଣୀ ଗାଁରେ । ସେହି ଗ୍ରାମର ଏସ୍.ସତ୍ୟମଙ୍କୁ ତାଙ୍କ ସାଙ୍ଗ ବଇରୀ ସେଠୀ ହତ୍ୟା କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ବଇରୀକୁ ଅଟକ ରଖି ପଚରା ଉଚରା କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପୋଲିସ ସୂଚନା ମୁତାବକ ସତ୍ୟମ ଏବଂ ବଇରୀଙ୍କ ମଧ୍ୟରେ ହଜାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଘଟଣା ଏତେ ଅଗକୁ ପଳେଇଥିଲା ଯେ ଉଭୟ ହାତାହାତି ହୋଇଥିଲେ । ବଇରୀ ମୁଣ୍ଡକୁ ପିତ ଚଢ଼ି ଯିବାରୁ ସେ ଏକ ଧାରୁଆ ଅସ୍ତ୍ରରେ ଏସ୍.ସତ୍ୟମକୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସତ୍ୟମଙ୍କ ଜୀବନ ଚାଲିଯାଇଥିଲା । ଗାଁ ଲୋକ ବଇରୀକୁ ଧରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ବଇରୀକୁ ଗିରଫ କରିଛି । ସେପଟେ ଏସ.ସତ୍ୟମଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ପୁଅକୁ ହରାଇବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଦୋଷୀକୁ କଠୋର ଦଣ୍ଡ ଦେଲେ ପୁଅର ଆତ୍ମା ଶାନ୍ତି ପାଇବ ବୋଲି କହିଛନ୍ତି ସତ୍ୟମଙ୍କ ପରିବାର ।