ବାଲେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ସୋର ବ୍ଳକ ଅନ୍ତର୍ଗତ ତେନ୍ତାଇ ଗ୍ରାମରେ ସନ୍ଦେହ ଜନକ ଭାବରେ ମରିଥିବା ଦୁଇ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ବୁଧବାର କ୍ରାଇମବ୍ରାଞ୍ଚର ଏକ ଟିମ୍ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଅଧିକାରୀ ପି.କେ ଦାସ, ସୋର ଥାନା ଆଇଆଇସି କ୍ଷମା ସାଗର ପଣ୍ଡା ଓ ଅନ୍ୟ ପୁଲିସ୍ କର୍ମଚାରୀମାନେ ଟେଣ୍ଡେଇ ଏବଂ ବିରିପଡ଼ା ଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଛାତ୍ରୀଙ୍କ ବାପାମାଆ ଓ ଗାଁଲୋକଙ୍କୁ ପଚାରାଉଚରା କରାଯାଇଥିବା ଜଣାପଡ଼ିଛି।
କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟ ୧୦ ତାରିଖରେ ଉଭୟ ଛାତ୍ରୀଙ୍କର ମୃ୍ତ୍ୟୁ ହୋଇଥିଲା । ମୃତ ଛାତ୍ରୀ ଦ୍ୱୟ ହେଲେ ଗାଁର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ ।ମୃତ ଛାତ୍ରୀଦ୍ୱୟ ଭଲ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠ ପଢ଼ୁଥିଲେ । ଉଭୟ ଭିକାରୀ ଚରଣ ହାଇସ୍କୁଲର ଛାତ୍ରୀ ।
ମୃତକ ଦ୍ୱୟ ଭଲ ସାଙ୍ଗ ହୋଇଥିବାରୁ ଗୋଟିଏ ଜାଗାକୁ ଟିଉସନ୍ ମଧ୍ୟ ଯାଉଥିଲେ । ତେବେ ଘଟଣା ଘଟିବା ଦିନ ପ୍ରିୟଙ୍କା ଲକ୍ଷ୍ମୀଙ୍କ ଘରେ ରାତିରେ ରହିଯାଇଥିଲେ । ରାତିରେ ଦୁଇଜଣ ସାଙ୍ଗ ହୋଇଶୋଇଥିଲେ ମାତ୍ର ସକାଳ ପାଇବା ବେଳକୁ ଉଭୟ ମରିଯାଇଥିବା ଘର ଲୋକ ଦେଖିଥିଲେ । ଏହି ସମ୍ପର୍କରେ ପୋଲିସରେ ଏତଲା ଦେବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହ ଉଦ୍ଧାର କରି ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ରିପୋର୍ଟରୁ ଜଣା ପଡିଥିଲା ଯେ ବିଷକ୍ରିୟା ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି ।
ପୋଲିସରେ ଏତଲା ଦେଇଥିଲେ ମଧ୍ୟ ପୋଲିସର ତଦନ୍ତ ଧିରଥିବାରୁ ଗାଁ ଲୋକ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ଆଧାରରେ କ୍ରାଇମବ୍ରାଞ୍ଚର ଟିମ୍ ଆସି ତଦନ୍ତ ଆରମ୍ଭ କରିଛି ।