କଟକ ( ଏଟିଆର ବ୍ୟୁରୋ): ମାଛ ମାର୍କେଟରେ ଛୁରା ମାଡ । ମାଛ ମରାକୁ ନେଇ ଗଲା ଜୀବନ । ଛୁରା ମାଡରେ ଅପରାଧୀ ତପନଙ୍କର ମୃତ୍ୟୁ । ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଯୋବ୍ରା ମାଛ ମାର୍କେଟରେ । ସୂଚନା ଅନୁସାରେ ଗତକାଲି ତପନ ଘରେ ଥିବା ବେଳେ ଦୁଇଜଣ ଯୁବକ ଆସି ତପନଙ୍କ ଉପରକୁ ଛୁରିରେ ଆକ୍ରମଣ କରିଥିଲେ । କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ଦୁଇ ଜଣ ତପନଙ୍କ ଶରୀରର ୫ ରୁ ୬ ଯାଗାକୁ କ୍ଷତ ବିକ୍ଷତ କରି ସେଠାରୁ ଫେରାର ହୋଇଯାଇଥିଲେ ।
ତପନଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସିତ ହେଉଥିବା ଅବସ୍ଥାରେ ତପନଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପରିବାର ଲୋକେ ଅଭଯୋଗ କରିଛନ୍ତି ଯୋବ୍ରା ବ୍ୟାରେଜରେ ମାଛ ଧରାକୁ କେନ୍ଦ୍ର କରି ତପନଙ୍କୁ ହତ୍ୟା କରାଯାଇଛି । ସ୍ଥାନୀୟ ଅଞ୍ଚଳର ରଞ୍ଜନ ମହାନ୍ତି ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି ।
ତେବେ ଏନେଇ ଏଯାବତ ପୋଲିସକୁ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ । ତପନ ଓ ରଞ୍ଜନ ଉଭୟେ ବହୁ ଅପରାଧିକ ମାମଲାରେ ଜଡିତ । ତପନଙ୍କ ନାମରେ ଥାନାରେ ବହୁ ଅପରାଧିକ ମାମଲା ରହିଛି । ପୂର୍ବରୁ ତପନ ପୋଲିସ ଏନକାଉଣ୍ଟରରେ ଆହାତ ମଧ୍ୟ ହୋଇଥିଲା । ମାଲ ଗୋଦାମ ପୋଲିସ ଶବ ଜବତ କରି ମାମଲାର ତଦନ୍ତ ଚଳାଇଛି । ତପନର ହତ୍ୟା ପରେ ରଞ୍ଜନର ପୁଅ ହାତୀ ଫେରାର ରହିଥିବା ଜଣାପଡିଛି ।