ପାରାଦୀପ(ଏଟିଆର ବ୍ୟୁରୋ): ଗତ ଜାନୁଆରୀ ୩ ତାରିଖରୁ ପାରାଦୀପରେ କାଉ ମଡକ ଦେଖିବାକୁ ମିଳୁଛି । ଏକ୍ଷେତ୍ରରେ ପ୍ରଶାସନ କୌଣସି ପ୍ରକାରର ଆଖିଦୃଶିଆ ପଦକ୍ଷପ ଗ୍ରହଣ କରୁନାହାନ୍ତି । ପ୍ରାଣୀଧନ ଚିକିତ୍ସା ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ସଂଗ୍ରହ କରାଯାଇ ଭୋପାଳ ସ୍ଥିତ ଟେଷ୍ଟି ଲ୍ୟାବକୁ ପଠାଯାଇଥିଲେ ମଧ୍ୟ ସେଠାରୁ କିଛି ରିପୋର୍ଟ ଆସି ନାହିଁ । ଅନ୍ୟପଟେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ କୁକୁଡା ମାଂସ ବିକ୍ରି ବେଧଡକ ଚାଲିଛି । ଲୋକ ମାନେ କୁକୁଡା ମାଂସ ସହ ଅଣ୍ଡା ଖାଉଛନ୍ତି ।
ସେହିପରି ପାରାଦୀପ ବନ୍ଦରକୁ ପ୍ରାୟତଃ ବିଦେଶୀ ନାବିକମାନେ ଆସୁଛନ୍ତି । ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ଭୟ ଥିବାରୁ ପାରାଦୀପ ବନ୍ଦରରେ ସରକାର କଟକଣା ଜାରି କରିଛନ୍ତି । ଏନେଇ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କିଛି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଖାସ କରି ଏସିଆ ମହାଦେଶ ଦେଇ ଆସୁଥିବା ଜାହାଜ ଗୁଡିକୁ ବନ୍ଦରରେ ପ୍ରବେଶ ବନ୍ଦ କରାଯାଇଛି ବୋଲି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହରାଜ ପଣ୍ଡା କହିଛନ୍ତି । ଏହା ସହ ବନ୍ଦର କର୍ତ୍ତୃପକ୍ଷ ୪ନଂ ଗେଟରେ ଏକ ସ୍କ୍ରିନିଂ ମେଶିନ ଲଗାଇଛନ୍ତି । ଗୋଟିଏ ପଟେ କରୋନା ଭାଇରସର ଭୟ ଅନ୍ୟପଟେ କାଉ ମଡକକୁ ନେଇ ପାରାଦୀପ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ କାଉ ମଡକକୁ ନେଇ ସରକାର ସତର୍କ ରହିବାକୁ ଓ ସବୁବେଳେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବାକୁ ପ୍ରାଣୀଧନ ଚିକିତ୍ସା ଅଧିକରୀ ମାନଙ୍କୁ ନିର୍ଦ୍ଦେଶ ଦିଇଛନ୍ତି ।