କଟକ (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ । ଏହାକୁ ଦୃଷ୍ଟିରେ ରଖି ଅନେକ ବଡ ବଡ ମହୋତ୍ସବ ଉପରେ ରୋକ ଲଗାଯାଇଥିବା ବେଳେ ଏବେ ପୁଣି କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ ଲଗାଯାଇଛି । ଆଜ୍ଞା ହଁ ଚଳିତବର୍ଷ ହେବନାହିଁ କଟକ ବାଲିଯାତ୍ରା । ସହରର କରୋନା ସ୍ଥିତିକ ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଅନ୍ୟପଟେ ବୋଇତ ବନ୍ଦାଣ ଉତ୍ସବ ଏବଂ ଧବଳେଶ୍ୱରର ବଡ ଓଷା ଉପରେ ମଧ୍ୟ ରୋକ ଲଗାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ, କଟକ ମହାନଦୀ ପଠାରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନଠାରୁ ଐତିହାସିକ ବାଲିଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥାଏ । ମାତ୍ର ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ସଂକମଣ ନବ୍ୟାପିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।