ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତ ହୋଇ ବାତ୍ୟାର ରୂପ ନେଉଛି । ଯଦିଓ ଏହା ଆନ୍ଧ୍ର ଓ ତାମିଲନାଡୁ ମୁହାଁ ରହିଛି ତଥାପି ଓଡିଶାରେ ଏହାର ପ୍ରଭାବ ପଡିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଖାସ ଏଥିଲାଗି ଓଡିଶା ସମେତ ୬ଟି ରାଜ୍ୟକୁ ସର୍ତକ ସୂଚନା ଜାରି କରାଯାଇଛି ।
ସେପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଧାନ ଅମଳ ଚାଲିଥିବା ବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି । ବାତ୍ୟା ଏବେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗୁରୁବାର ରାତି ସୁଦ୍ଧା ଚେନ୍ନାଇଠୁ ୧୦୮୦ ଓ ଆନ୍ଧ୍ରପ୍ରଦେଶରଠୁ ୧୨୫୦ କିମି ଦୂରରେ କେନ୍ଦ୍ରୀଭୁତ ହୋଇ ଶୁକ୍ରବାର ରାତିସୁଦ୍ଧା ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ସମେତ ଓଡିଶା, ଆଣ୍ଡାମାନ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରିରେ ଏହାର ପ୍ରଭାବ ପଡିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ରିପୋର୍ଟ ଅନୁସାରେ, ୧୫ତାରିଖ ରାତିରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ହୋଇପାରେ । ଯାହାର ପ୍ରଭାବରେ ଶନିବାରଠୁ ଆନ୍ଧ୍ର ଓ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଦକ୍ଷିଣପଶ୍ଚିମ ଓଡିଶାରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୬ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସର୍ତକ କରାଯାଇଛି । ସେପଟେ ବାତ୍ୟାକୁ ଆଖି ଆଗରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଘଟଣା ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । ଓୟୁଏଟି ପକ୍ଷରୁ ଚାଷୀଙ୍କ ଲାଗି ସର୍ତକ ସୂଚନା ଜାରି କରାଯାଇଥିବା ଜଣାପଡିଛି । ତୁରନ୍ତ ଜମିରୁ ପାଣି ନିଷ୍କାସନ କରିବା ଲାଗି ପରାମର୍ଶ ଦିଆଯାଇଛି । ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ପରାମର୍ଶ କରିବାକୁ ଚାଷୀମାନଙ୍କୁ କୁହାଯାଇଛି ।