ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଗତକାଲି ଉପକୂଳ ଓଡିଶାରେ ତାର ପ୍ରଭାବ ଦେଖାଇ ପଶ୍ଚିମବଙ୍ଗର ଡେଲ୍ଟାରେ ଲ୍ୟାଣ୍ଡ ଫଲ କରିଛି । ପାଖାପାଖି ଗତକାଲି ରାତି ସାଢେ ୯ ଟା ବେଳେ ବୁଲବୁଲ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଥିଲା । ବୁଲବୁଲ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୨୦ ରୁ ୧୩୦ କିଲୋମିଟର ଘଣ୍ଟାପ୍ରତି ରହିଥିଲା । ଯାହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବଡବଡ ଗଛ ସମେତ କଚ୍ଚା ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି ।
ଏହି ବାତ୍ୟା ପଶ୍ଚିମବଙ୍ଗ ଦେଇ ବାଲାଂଦେଶକୁ ଗତି କରିଥିବା ସୂଚନା ମିଳିଛି । ଏହାର ପ୍ରଭାବ ମଧ୍ୟ କୋଲକାତା ଉପରେ ପଡିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରକୁ ସନ୍ଧ୍ୟା ୬ ଟାରୁ ବିମାନ ଉଡାଣ ବନ୍ଦ ରହିଥିଲା । ବିଶେଷକରି ଇଷ୍ଟ ମେଦନାପୁର, ଦକ୍ଷିଣ-ଉତ୍ତର ଚବିଶ ପ୍ରଗଣା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ସେହିଭଳି ଓଡିଶାରେ ମଧ୍ୟ ବୁଲବୁଲ ତାର ତାଣ୍ଡବ ଦେଖାଇଛି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ଧାମରାରେ ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ଅଧିକ ବେଗରେ ବେଗରେ ପବନ ବହିଥିଲା । ବାତ୍ୟାରେ ଏହି ସବୁ ଜିଲ୍ଲା ମାନଙ୍କରେ ଧାନ ଫସଲ ବେଶି କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।