ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଳୟଙ୍କାରୀ ବାତ୍ୟା ଓଡିଶାକୁ କରିଦେଲା ଛାରଖାର । ବହୁ ଲୋକଙ୍କ ଧନ ସହ ଜୀବନ ନେଇଛି । ତେବେ ବାତ୍ୟା ପ୍ରଭାବରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି । ତେବେ ପୁରୀ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମୃତକଙ୍କ ସଂଖ୍ୟା କମ ରହିଛି ।
‘ଫୋନି’ ପ୍ରଭାବ ରାଜ୍ୟରେ ୧୪ଟି ଜିଲ୍ଲାରେ ପଡିଛି । ଏଥିମଧ୍ୟରୁ ପୁରୀ,ଖୋର୍ଦ୍ଧା,କଟକ ଏବଂ କେନ୍ଦ୍ରାପଡାର କିଛି ଅଞ୍ଚଳରେ ଅଧିକ ପଡିଛି । ଏହି ସବୁ ଜିଲ୍ଲାମାନଙ୍କ ଧନ ସହିତ ଲୋକଙ୍କ ଜୀବନ ଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତକଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ତେବେ ପୁରୀ ଜିଲ୍ଲାରେ ନଡିଆ ଗଛ ପଡି ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । ଏଠାରେ ବାତ୍ୟା ଦିନ ୨୦୦ ବେଗରେ ପବନ ବହିଥିଲା ।
ବାତ୍ୟା ପରେ ସରକାର,ପ୍ରଶାସନ ଏବଂ ସ୍ୱେଛାସେବୀମାନେ ଲୋକଙ୍କୁ ସହଯୋଗ କରିବା ପାଇଁ ବାହାରିଆସିଛନ୍ତି । ବିଦ୍ୟୁତ ଏବଂ ପାଣିପାଇଁ ସବୁଠି ଦେଖିବାକୁ ମିଳୁଛି ହାହାକାର । ତେବେ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଆପ୍ରାଣ ଚେଷ୍ଠା ଜାରି ରହିଛି । ସବୁ ସ୍ଥାନରେ ପାଣି ପହଁଞ୍ଚାଇବା ପାଇଁ ଟ୍ୟାଙ୍କରମାନ ବୁଲୁଥିବା ବେଳେ ଯଥା ଶିଘ୍ର କରେଣ୍ଟ ଆସିବା ପାଇଁ ରାତିଦିନ କାମ ଚାଲିଛି । ଆସନ୍ତା ୧୦ ତାରିଖ ସୁଦ୍ଧା ବିଜୁଳି ଆସିବ ବୋଲି ମଧ୍ୟ ସୂଚନା ମିଳିଛି ।