ପୁରୀ ( ଏଟିଆର ବ୍ୟୁରୋ): ବାତ୍ୟା ଫନିର ଭୟବୀତତାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଗୁରୁବାର ମଧ୍ୟରେ ପୁରୀ ଛାଡିବାକୁ ପ୍ରଶାସନ ଦେଲା ନିର୍ଦେଶ । ବାତ୍ୟା ଫନି ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଏହାର ଅଧିକ ପ୍ରଭାବ ପୁରୀକୁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ଦେଶ ଜାରି କରାଯାଇଛି । ବାତ୍ୟା ଫନି ଏବେ ପୁରୀ ଠାରୁ ୬୪୦ କିମି ଦୂରରେ ଥିବା ବେଳେ ଆସନ୍ତା ୩ ତାରିଖ ଅପରାହ୍ନରେ ଏହା ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି । ତେବେ ସ୍ଥଳଭାଗ ଛୁଇଁବା ପରେ ପୁରୀରେ ପବନର ବେଗ ଘଣ୍ଟାପ୍ରତି ୧୭୦ କିମିରୁ ଅଧିକ ଟପିବା ଆଶଙ୍କା କରାଯାଉଛି ।
ଏ ନେଇ ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲ୍ଲା ମାନଙ୍କୁ ମଧ୍ୟ ଏନଡିଆରଏଫ ଟିମ ପଠା ଯାଇ ସାରିଛି । ସେପଟେ ଶକ୍ତି ବିଭାଗ ମଧ୍ୟ ଗୁରୁତ୍ୱପୂର୍ଣ ବୈଠକ କରି ସମ୍ବାବ୍ୟ ବାତ୍ୟାର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ପ୍ରସ୍ତୁିତି ବୈଠକ କରିଛନ୍ତି । ବାତ୍ୟା ପୁରୀର କୃଷ୍ଣପ୍ରସାଦରେ ସ୍ଥଳ ଭାଗ ଛୁଇଁବା ଆଶଙ୍କା ଅଧିକ ଥିବାରୁ ଏହାର ବିଶେଷ ପ୍ରଭାବ ପୁରୀରେ ପଡିବା ଆଶଙ୍କା କରାଯାଉଛି । ରାଜ୍ୟରେ ଫନିର ଭୟାବହ କୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେହିଭଳି ସମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିପିୟୁଟିର ସେମିଷ୍ଟାର ପରୀକ୍ଷା ଘୁଞ୍ଚିଛି । ମେ ୨ ତାରିଖରେ ହେବାକୁ ଥିବା ପରୀକ୍ଷା ମେ ୨୫ ତାରିଖକୁ ଘୁଞ୍ଚିଛି ।