ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଳମ୍ବିତ ରାତିରେ ଗୋପାଳପୁର ଅତିକ୍ରମ କରିଛି ସାମୁଦ୍ରିକ ଝଡ ‘ଡାଏ’ । ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଥିଲା । ଅଧ ରାତିରେ ଏହା ମାଟିକୁ ଛୁଇଁ ଦୁର୍ବଳ ହୋଇ ପଡିଛି । କିନ୍ତୁ ସେହି ସମୟରେ ପବନର ବେଗ ୬୦ ସ୍ପିଡ୍ ରହିଥିଲା ।ଏହା ପଶ୍ଚିମ-ଉତ୍ତର ଦିଗରେ ଗତି କରି ପଶ୍ଚିମ ମୁହାଁ ଦେଇ ଗତି କରିଛି ।
ମାତ୍ର ସମୁଦ୍ର ଅଶାନ୍ତ ହୋଇପଡିଛି । ମୁଖ୍ୟତଃ ପୁରୀ ସମୁଦ୍ର କୂଳରେ ଅଶାନ୍ତ ରୂପ ଦେଖିବାକୁ ମିଳିଛି । ପ୍ରାୟତଃ ୧୦ ଫୁଟ ଉଚ୍ଚରେ ଜୁଆର ଉଠୁଛି । କୂଳ ଲଙ୍ଘୁଛି ସମୁଦ୍ର । ରାସ୍ତା ଉପରକୁ ପାଣି ମାଡି ଆସୁଛି । ଫଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ବି ଭୟ ରହିଛି ।
ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ରେଡ ଅଲର୍ଟ ଜାରି କରାଯାଇଥିଲା । ଏହାସହିତ ଏହି ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହି ‘ଡାଏ’ ଝଡ ,ମହାବାତ୍ୟା ଏବଂ ଫାଇଲିନ୍ ଭଳି ବଡ ଧରଣର ବାତ୍ୟା ହେବା ଆଶଙ୍କା ନଥିଲେ ମଧ୍ୟ ବାତ୍ୟାକୁ ଅଙ୍ଗେ ଲିଭେଇ ଥିବା ଲୋକଙ୍କ ମଧ୍ୟରେ ଏକ ପ୍ରକାର ଛାନିଆ ସୃଷ୍ଟି ହୋଇଥିଲା । ସେଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଥିଲା । ଏହାକୁ ମୁକାବିଲା କରିବା ପାଇଁ ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିବା ସହ ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ନିୟୋଜିତ ଥିଲେ ।