ମାଲକାନାଗିରି(ଏଟିଆର ବ୍ୟୁରୋ): ଧିରେ ଧିରେ ନକ୍ସଲରେ ସାମିଲ ହୋଇଥିବା ଯୁବକ ଓ ଯୁବତୀ ମାନେ ଆତ୍ମସମପର୍ଣ କରୁଛନ୍ତି । ଯାହାକୁ ନେଇ ନକ୍ସଲ ସଂଗଠନ ଗୁଡିକୁ ଝଟକା ଲାଗୁଛି । ଆଜି ସେହିଭଳି ଜଣେ ଯୁବକ ଲାଲ ଗଡ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି କମଳୁ ବେଟ୍ଟି। କମଳୁଙ୍କ ନାଁରେ ୮ ଟି ମାମଲା ରହିଥିଲା । ସରକାର ତାଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମାଲକାନାଗିରି ପୋଲିସ କାର୍ଯ୍ୟଳୟରେ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମଳୁ ଆତ୍ମସମପର୍ଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ଏସପି ରିଷିକେଶ ଖିଲାରୀ ଓ ବିଏସଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଉପସ୍ଥିତ ଥିଲେ । କମଳୁ ଲାଲ ବାହିନୀରେ ହେଉଥିବା ଭେଦଭାବ, ନିର୍ଯାତନା, ନର ହତ୍ୟାରେ ମର୍ମାହତ ହୋଇ ଆତ୍ମସମପର୍ଣ କରିଛନ୍ତି ବୋଲି କହିଛନ୍ତି । ପୋଲିସ ପକ୍ଷରୁ କମଳୁଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରାଯିବ । ଏହା ସହ ପ୍ରଶାସନ ପକ୍ଷରୁ କମଳୁଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଲିମ ମଧ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।