ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଅଧିକ ଲୋକାଭିମୁଖୀ ହେବା ନିମନ୍ତେ ଗତବର୍ଷଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଏବଂ ୫-ଟି କାର୍ଯ୍ୟକ୍ରମ ଏହି ଚେଷ୍ଟାକୁ ସଫଳ କରୁଥିବାର ଲକ୍ଷ୍ୟ କରାଯାଉଛି। ତେବେ ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏକ ଡାଟା ପଲିସି ଇନୋଭେଶନ୍ ସେଣ୍ଟର(ଡିପିଆଇସି) କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ବୈଠକରେ ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ତେବେ ଶିକାଗୋ ୟୁନିଭରସିଟି ବୈଷୟିକ ସହଯୋଗରେ ଡିପିଆଇସି ଗଠନ କରାଯିବ । ଲୋକସେବା ଭବନରେ ବସିଥିବା ବୈଠକରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରକଳ୍ପ ସମ୍ପର୍କିତ ପ୍ରାଥମିକ ଚିଠା ଉପସ୍ଥାପନ କରିଥିଲେ। ଏହା ଛଡା ଶିକାଗୋ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ଥିମ ଏକ୍ସପର୍ଟ ଏବଂ ଦକ୍ଷିଣ ଏସିଆ ନିର୍ଦ୍ଦେଶକ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ କହିବାନୁଯାୟୀ, ଡିପିଆଇସି ଏକ ଉତ୍କର୍ଷର କେନ୍ଦ୍ରଭାବେ କାର୍ଯ୍ୟ କରିବ। କୃତ୍ରିମ ବୁଦ୍ଧିମତ୍ତା, ଆଧୁନିକ ଅର୍ଥନୈତିକବାଦ ଏବଂ ପରିସଂଖ୍ୟାନ ଇତ୍ୟାଦି ନୀତି ନିର୍ଦ୍ଧାରଣରେ ସହାୟକ ହେବ। ସମସ୍ତ ତଥ୍ୟ ଶୁଣିସାରିବା ପରେ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କିତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ, ସାଧାରଣ ପ୍ରଶାସନ, ଇଲେକ୍ରୋଟିକ୍ସ ଓ ଆଇଟି ଏବଂ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।