ସୁବର୍ଣ୍ଣପୁର ( ଏଟିଆର ବ୍ୟୁରୋ): ପୁଣି କାନ୍ଧରେ ବୁହା ହେଲା ଶବ । ମଳିଲାନି ମହାପ୍ରୟାଣ ଗାଡି । କାନ୍ଧରେ ଘରକୁ ନେଲେ ପରିବାର ଲୋକେ । ବାରମ୍ଭାର ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଚେତା ପଶୁନି । ପୁଣି ଦେଖିବାକୁ ମିଳୁଛି ପୁନଃରାବୃତ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଏମିତି ଏକ ଦୃଶ୍ୟ ପୁଣି ଦାନ ମାଝି କଥା ମନେ ପକେଇ ଦେଇଛି । ଗତକାଲି ସୁବର୍ଣ୍ଣପୁର ଅଞ୍ଚଳରେ ଆନନ୍ଦଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ମାତ୍ର ସେଠାରେ ଆନନ୍ଦ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ମୃତ ଦେହକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡି ଚାହିଁଥିଲେ । ମାତ୍ର ମହାପ୍ରୟାଣ ଗାଡି ନ ମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆନନ୍ଦଙ୍କୁ କାନ୍ଧରେ ବୁହାଇ ଘର ପର୍ଯ୍ୟନ୍ତ ଆଣିଥିଲେ । ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେମାନେ ଅନ୍ୟ ଗାଡିରେ ଶବ ନେବାକୁ ସକ୍ଷମ ହୋଇ ପାରି ନଥିଲେ ।
ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ଶବକୁ କାନ୍ଧରେ ବୋହି ଘର ପର୍ଯ୍ୟନ୍ତ ଆଣିଥିଲେ ପରିବାର ଲୋକ । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, କାହିଁକି ମିଳିଲା ନାହିଁ ମହାପ୍ରୟାଣ ଗାଡି? ଟଙ୍କା ନ ଛିଣ୍ଡିବାରୁ ଜାଣିଶୁଣି ଏମିତି କରାଯାଇ ନି ତ ? କୁଆଡେ ଯାଇଥିଲା ମହାପ୍ରୟାଣ ଗାଡି ? ଏବେ ଏମିତି କିଛି ପ୍ରଶ୍ନ ସାଧାରଣରେ ଶୁଣିବାକୁ ମିଳୁଛି ।