ମୟୁରଭଞ୍ଜ,(ଏଟିଆରବ୍ୟୁରୋ): ଦିନ କି’ ଦୁଇଦିନ ନୁହେଁ ବରଂ ଗଲା ୩ଦିନ ହେବ ଘରେ ପଡି ରହିଛି ମୃତଦେହ । କେହି ମୃତ ଦେହକୁ ଉଠାଉ ନାହାଁନ୍ତି କି’ ସକ୍ରାର ମଧ୍ୟ କରୁନାହାନ୍ତି । ଏପଟେ ଏ ସମ୍ପର୍କରେ ସୂଚନା ମିଳିବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । ଶୁଣିବାକୁ ମିଳୁଛି କଙ୍ଗାରୁ କୋର୍ଟ ଯୋଗୁ ଏଭଳି ସମସ୍ୟା ଉପୁଜିଛି । ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧିନ କୁଚେଇ ଗାଁର ।
ରିପୋର୍ଟ ଅନୁସାରେ, ଗାଁରେ ରହୁଥିବା ପାର୍ବତୀ ସରେନ କିଛିଦିନ ହେବ ଅସୁସ୍ଥ ରହିଥିଲେ । ୩ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏଯାବତ୍ ତାଙ୍କ ମୃତଦେହ ସକ୍ରାର କରାଯାଇନାହିଁ । ଏହା ପଛର କାରଣ ବି ବଡ ବିଚିତ୍ର । ମୃତ ପାର୍ବତୀଙ୍କ ଶ୍ୱଶୁର ଅନ୍ୟ ଜାତିରେ ବିବାହ କରିଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ଗାଁରେ କଙ୍ଗାରୁକୋର୍ଟ ବସିଥିଲା । ଆଉ ସେଥିରେ ନିଷ୍ପତି ହୋଇଥିଲା ଜରିମାନା ଦେବାକୁ । ହେଲେ ଆର୍ଥିକ ସ୍ୱଚ୍ଛଳ ନଥିବା ପାର୍ବତୀଙ୍କ ସ୍ୱାମୀ ଜରିମାନା ଟଙ୍କା ଦେଇପାରିନଥିଲେ । ଯାହାକୁ ନେଇ ଆଜି ସମସ୍ୟା ଉପୁଜିଛି । ପାର୍ବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଲୋକେ କେହି ଆଗକୁ ଆସୁନାହାନ୍ତି ।
ଫଳସ୍ୱରୂପ ଘରେ ପଡି ରହିଛି ପାର୍ବତୀଙ୍କ ମୃତଦେହ । ଏ ଖବର ମିଳିବା ପରେ ଶୁକ୍ରବାର ମୟୁରଭଞ୍ଜ ଆଡସିନାଲ ଏସପି ଅଭିମନ୍ୟୁ ନାୟକ ଓ ଥାନା ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି ।