ଢ଼େଙ୍କାନାଳ (ଏଟିଆର ବ୍ୟୁରୋ ):ପୁଣି ମାନବିକତାର ମୃତ୍ୟୁ । କୋକେଇ ନୁହେଁ ବରଂ ଟ୍ରଲିରେ ଗଲା ମୃତଦେହ । ଢେଙ୍କାନାଳ ଜିଲ୍ଲା କଣପାଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଶବ ସକ୍ରାର ଲାଗି ଚାରିକାନ୍ଧ ନମିଳିବାରୁ ବାପର ମୃତଦେହକୁ ଟ୍ରଲିରେ ଶ୍ମସାନ ପର୍ଯ୍ୟନ୍ତ ବୋହିନେଲେ ଝିଅ ।
ଟ୍ରଲି ଉପରେ ଶୋଇଛି ମରିଯାଇଥିବା ବାପ । ଟ୍ରଲିର ହ୍ୟାଣ୍ଡେଲ ଧରି ଆଗ ମାଡି ଚାଲିଛନ୍ତି ବୁଢା ବାପର ବଡ ଝିଅ । ଆଉ ପଛରେ ଥାଇ ଟ୍ରଲିକୁ ଠେଲି ଠେଲି ଆଗକୁ ନେଉଛି ସାନ ଝିଅ । ଢୁ ଢୁ ବର୍ଷାରେ ଗାଁ ଦାଣ୍ଡରେ ଶବର ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ଖାଲି ନିରେଖି ଚାହୁଁଥିଲେ । ତଥାପି କାହା ଚାହାଣିକୁ ଖାତିର୍ ନକରି ଦୁଇ ଝିଅ ମାଡି ଚାଲି ଥିଲେ ଅନେକ ଆଗକୁ ।
ଢେଙ୍କାନାଳ ଜିଲ୍ଲା ନୀଳକଂଣ୍ଠପୁର ଗ୍ରାମରେ ଦୈତାରୀ ମଲ୍ଲିକ ନାମକ ଜଣେ ବୃଦ୍ଧା ରହୁଥିଲେ । ତାଙ୍କର ଦୁଇ ଝିଅ ଓ ପୁଅ ନାହାନ୍ତି । ବୃଦ୍ଧା ବୟସରେ ନିଜେ ଖଟି ପେଟ ପୋଷୁଥିଲେ । ସୋମବାର ସେ ଅନ୍ୟ ଏକ ଗ୍ରାମକୁ ଧାନ ତଳି ରୋଇ ବାକୁ ଯାଇଥିଲେ । ମାତ୍ର ସନ୍ଧ୍ୟା ହୋଇଯାଇଥିଲା କିନ୍ତୁ ଦୈତାରୀ ଘରକୁ ଫେରିନଥିଲେ । ବିଳମ୍ବ ହେବାରୁ ପରିବାର ଲୋକ ଖୋଜିବା ଆରମ୍ଭ କରିଦେଇଥିଲେ । ଶେଷରେ ଏକ ପୋଖରୀ ତୁଠରେ ଦୈତାରୀଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକ । ସେଠାରୁ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେତେବେଳକୁ ଦୈତାରୀଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ହସ୍ପିଟାଲରେ ଶବ ନେବା ପାଇଁ କୌଣସି ସୁବିଧା ନଥିବାରୁ ଦୁଇ ଝିଅ ଶବକୁ ଟ୍ରଲିରେ ପକାଇ ଶ୍ମସାନକୁ ନେଇ ଯାଇଥିଲେ ।