କଟକ,(ଏଟିଆର ବ୍ୟୁରୋ): କଟକ ନିମସାହି ଅଞ୍ଚଳରେ ଚାଞ୍ଚଲ୍ୟ । ନବନିର୍ମିତ ପାଣି ଟାଙ୍କିରୁ ମିଳିଲା ଯୁବକଙ୍କ ମୃତଦେହ । ଯଦିଓ ମୃତ ଯୁବକଙ୍କ ପରିଚୟ ମିଳିଛି ତେବେ କେମିତି ସେ ପାଣିଟାଙ୍କିକୁ ଆସିଲେ ସେନେଇ ଅନେକ ସନ୍ଦେହ ଜାତ ହୋଇଛି ।
ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଉଛନ୍ତି ଝୋଲାସାହିର ଦୟାନିଧୀ ମହରଣା । ତେବେ ଦୟା ନାଁରେ ପୂର୍ବରୁ ଥାନାରେ ଏକ ମାମଲା ରହିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, କଟକ ନିମସାହି ଅଞ୍ଚଳରେ ରହୁଥିବା ଗୁରୁପ୍ରସାଦ ମହାରଣାଙ୍କର ଘର ପାଖରେ ଏକ ପାଣି ଟାଙ୍କି ରହିଛି ।
ଆଜି ସକାଳୁ ସେଠାରେ ଦୟାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଏହା ହତ୍ୟା ନା’ ଆଉ କିଛି ତାହା ଏବେ ବି ସନ୍ଦେହ ଘେରରେ । ଦୟା କେମିିତି ସେଠାକୁ ଆସିଲେ ତାହା ବି ବଡ଼ପ୍ରଶ୍ନ । ସେପଟେ ଘର ମାଲିକ ଏ ସମ୍ପର୍କରେ କିଛି ଜାଣିନଥିବା ପ୍ରକାଶ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଖୁବଶୀଘ୍ର ସତ ଜଣାପଡିବ ବୋଲି ପୁଲିସ କହିଛି ।