କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ସ୍ଥାନୀୟ ଜରଡା ଥାନା ମୁକୁନ୍ଦଦେବ ସାଗରରୁ ମିଳିଲା ମୃତ ଦେହ । ମୃତକ ଜଣକ ହେଲେ ସନ୍ତୋଷ ନାୟକ । ତାଙ୍କ ଘର କେନୂଆଗାଁ ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ । ମୃତ ଦେହକୁ ଦମକଳ ବାହିନୀ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଛେଦ କରିଛି । ତେବେ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ସନ୍ତୋଷ ହାଇଦ୍ରାବାଦରେ ରହୁଥିଲେ । ଗତ ଗୁରୁବାର ଦିନ ଘରକୁ ଆସିବା ପରେ ତାଙ୍କର ଜଣେ ସାଙ୍ଗକୁ ଦେଖା କରିବା ପାଇଁ ଯାଉଛି କହି ଘରୁ ପୋଲରାଜପୁର ଗାଁକୁ ଯାଇଥିଲେ । ମାତ୍ର ରାତି ହୋଇଥିଲେ ମଧ୍ୟ ଘରକୁ ଫେରିନଥିଲେ ସନ୍ତୋଷ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କର ପତ୍ତା ମିଳିନଥିଲା । ଏଣୁ ପରିବାର ଲୋକ କେନୂଆଗାଁ ଥାନାରେ ଏତଲା ଦେବା ପରେ ପୋଲିସରେ ନିଖୋଜ ମାମଲା ରୁଜୁ କରିଥିଲା ।
ସୋମବାର ସକାଳେ ଜରଡା ମୁକୁନ୍ଦଦେବ ସାଗରରେ ଦିନ ୧୧ଟା ବେଳେ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ଘଟଣାସ୍ଥଳରେ ପହଁଞ୍ଚି ଥିଲା । ଏବଂ ପାତ୍ରପୁର ଦମକଳ ବାହିନୀ ପହଁଞ୍ଚି ମୃତଦେହ ଏବଂ ସନ୍ତୋଷଙ୍କ ସ୍କୁଟିକୁ ଉଦ୍ଧାର କରିଛି । ଶବ ଏବଂ ସ୍କୁଟି ମିଳିବା ପରେ କେତେକ ଲୋକ ଏହାକୁ ହତ୍ୟାର ରୂପ ଦେଇଛନ୍ତି । ତେବେ ଆଉ କେତେ ଜଣ କହିଛନ୍ତି କି ସ୍କୁଟିଟି ଭାରସାମ୍ୟ ହରାଇ ପାଣି ଭିତରେ ବୁଢ଼ି ପ୍ରାଣ ଯାଇଛି ବୋଲି ଚର୍ଚ୍ଚା ହେଉଛି ।