ଡେଲାଙ୍ଗ (ଏଟିଆର ବ୍ୟୁରୋ ) : ପ୍ଲାଟଫର୍ମରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ । ବିଳମ୍ବିତ ରାତିରୁ ସକାଳ ଯାଏ ଶବ ପଡିଥିଲେ ବି ନଜର ଦେଲେନି ସ୍ଥାନୀୟ ଲୋକେ । ଏପରିକି ସକାଳୁ କୁକୁର ଓ କାଉ ଉକ୍ତ ଶବକୁ ଝୁଣି ଖାଉଥିବା ବେଳେ ଧ୍ୟାନ ଦେଇନଥିଲେ କର୍ତ୍ତୁପକ୍ଷ । ଯାହାକୁ ନେଇ ତାତିଥିଲେ ଲୋକେ । ଲେବଲ କ୍ରସିଂରେ ରେଳକୁ ଅଟକାଇ ରେଳରୋକ କରିବା ପରେ ପୁଲିସ ପହଂଚି ଶବ ଜବତ କରିଛି । ପୁରୀ ଜିଲ୍ଲା କଣାସ ରେଳବାଇ ପ୍ଲାଟଫର୍ମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର ।
ମିଳିଥିବା ଖବର ମୁତାବକ, ଆଜି ସକାଳେ ପ୍ଲାଟଫର୍ମରେ ସ୍ଥାନୀୟ ଜଗଦଳପୁରର ଧୀରେନ ରାଉତରାୟଙ୍କ ଶବ ପଡିଥିବା ଦେଖିଥିଲେ କିଛି ଲୋକେ । କୁକୁର ଓ କାଉ ଧୀରେନଙ୍କ ଖଣ୍ଡ ବିଖଣ୍ଡିତ ଶବକୁ ଝୁଣି ଖାଉଥିବା ଦୃଶ୍ୟ ଉତ୍ତେଜିତ କରିଥିଲା ସମସ୍ତଙ୍କୁ । ଏନେଇ ଷ୍ଟେସନ ମାଷ୍ଟରଙ୍କ ନୀରବତା ବେଶୀ ତତାଇଥିଲା ଲୋକଙ୍କୁ । ଫଳରେ ଉତ୍ୟକ୍ତ ଲୋକେ ପୁରୀ-କଟକ-ପୁରୀ ପାସେଂଜରକୁ ଲେବେଲ କ୍ରସିଂ ଠାରେ ଅଟକାଇଥିଲେ । ଦେଢ଼ ଘଂଟା ପର୍ଯ୍ୟନ୍ତ ରେଳରୋକ ହୋଇଥିବା ବେଳେ ଲେବେଲ କ୍ରସିଂର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ଯାଇଥିଲା । ମୋଟାମୋଟି ଭାବେ ଡେଲାଙ୍ଗ-କଣାସ ସଡକ ପଥରେ ଯୋଗାଯୋଗ ବି ବିଚ୍ଛିନ୍ନ ହୋଇଯାଇଥିଲା ।
ପରେ ରେଳ ବିଭାଗ ସବ୍-ଇନସପେକ୍ଟର ଏସ୍ କେ ବାହିନୀପତି ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା ।