ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅର୍ଡର ପରେ ଅର୍ଡର ଦିଆଯାଉଛି । ହେଲେ ଅସଲ ବେଳକୁ ସବୁ ଫୁସ । କାମ କରୁନି ଖୋଦ ପୁଲିସ ଡିଜିଙ୍କ ନିର୍ଦ୍ଦେଶ । ଏ କଥା ଆମେ ନୁହେଁ ବରଂ ଖୋଦ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଏମିତି ଆଲୋଚନା ଜୋର ଧରିଛି । ସିଧା କହିବାକୁ ଗଲେ ଡିଜିପିଙ୍କ ଅର୍ଡରକୁ ଆଉ କେହି ଖାତିର କରୁନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି । ଯାହାର ପ୍ରମାଣ ହେଉଛି ଗତବର୍ଷ ଅକ୍ଟୋବର ୨୪ ତାରିଖରେ ବାହାରିଥିବା ପୁଲିିସ କର୍ମଚାରୀଙ୍କ ଅଦଳ ବଦଳର ଚିଠା ।
ରେକର୍ଡ କହୁଛି ମୋଟ୍ ୪୧ଜଣ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଯେଉଁଥିରେ କମିଶନରେଟ ପୁଲିସର କେତେକ ଅଫିସର ରହିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ସେମାନେ ଏଯାବତ ମଧ୍ୟ ନିଜ ଗାଦି ଛାଡି ନାହାନ୍ତି । ଏହାରି ଭିତରେ ପୁରୁଣା ବର୍ଷ ଯାଇ ନୂଆବର୍ଷ ହେଲାଣି । ଡିଜିଙ୍କର ସେହି ଅର୍ଡର ଏବେ ନାଲିଫିତା ତଳେ ଦବି ଯାଇଛି । ଚର୍ଚ୍ଚା ହେଉଛି ଏହି ବଦଳି ଅର୍ଡରକୁ ଚପାଇବାକୁ କରାଯାଇଛି ଏକ ସାଂଘାତିକ ଚକ୍ରାନ୍ତ । ଅର୍ଡର ବାହାରିବାର କିଛି ଦିନ ପରେ ହକି ବାହାନା କରି ପ୍ରଥମେ ଅଫିସର ନିଜ ସ୍ଥାନରେ ଅଟକି ରହିଲେ ।
ଆଉ ସମୟ ଗଡିବା ପରେ ସେମାନେ ପୁଣି ନିଜ ଆସ୍ଥାନକୁ ଏବେ ମଜବୁତ କରିଛନ୍ତି । ରାଜଧାନୀ ମୋହ ଛାଡିବାକୁ ବାବୁମାନେ ଚାହୁଁ ନଥିବା ବେଳେ ଡିଜିପି ବି ଏଥିରେ ଆଉ ମୁଣ୍ଡ ନଖେଳାଇବା ବିଲେଇ ଭାଗ୍ୟକୁ ଶିକା ଛିଡାଇବା ସଦୃଶ୍ୟ ହୋଇଛି । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ବ୍ରହ୍ମପୁରରେ ମଧ୍ୟ କେତେକ ଅଫିସରଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ସେଠି ବି ସମାନ ଘଟଣା ଘଟିଥିଲା । ଥରେ ନୁହେଁ ବରଂ ଦୁଇ ଦୁଇଥର ଡିଜିପି ଅର୍ଡର ଦେଇଥିଲେ ମଧ୍ୟ ଜଣେ ଥାନା ଅଧିକାରୀଙ୍କ ବଦଳି ସମ୍ଭବ ହୋଇନଥିଲା । ଆମେ କହୁଛୁ ବଡବଜାର ଥାନା ଆଇଆଇସିଙ୍କ ସମ୍ପର୍କରେ ।
ସ୍ଥାନୀୟ ଲୋକଙ୍କ ଏକାଧିକ ଅଭିଯୋଗ ଉଠିଥିଲା ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିପକ୍ଷରେ । ଆଇଆଇସିଙ୍କ ନିରବତା ହିଁ ନାକେଦମ କରିଥିଲା ଲୋକଙ୍କୁ । ଏଭଳି କ୍ଷେତ୍ରରେ ତୁରନ୍ତ ବଦଳି ଲାଗି ଡିଜିପି ନିର୍ଦ୍ଦେଶ ଦେଇଥିଲେ । ହେଲେ କି ଖେଳ ହେଲା କେଜାଣି ବଡ଼ବଜାର ଥାନା ଅଧିକାରୀ ନିଜ ଜାଗାରୁ ଟିକେ ବି ହଲିଲେ ନାହିଁ । ଶୁଣିବାକୁ ମିଳୁଛି ଜଣେ ନେତାଙ୍କୁ ହାତ କରି ଡିଜିଙ୍କ ଅର୍ଡରକୁ ବି ଚପାଇଦେଲେ ଜଣେ ଥାନା ଅଧିକାରୀ । ଏଭଳି କ୍ଷେତ୍ରରେ ଭୁବନେଶ୍ୱରରେ ରହିଥିବା ଜଣେ ଥାନା ଅଧିକାରୀ ଗାଦି ନଛାଡିବା ପ୍ରମାଣ କରୁଛି ଡିଜିଙ୍କ ଅର୍ଡର କେତେଦମ ।