ପୁରୀ(ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଧନୁ ସଂକ୍ରାନ୍ତିରେ ଶ୍ରୀ ମନ୍ଦିରରେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତିକାନ୍ତି କରାଯାଏ । ଏଥି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ସକାଳ ୬ ଟା ୨୦ ମିନିଟରେ ଠାକୁରଙ୍କ ପାଖରେ ପହିଲି ଭୋଗ ନୀତି ହୋଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ନିତିକାନ୍ତି ଭୋଗ କରାଯାଏ ।
ପରମ୍ପରା ଅନୁସାରେ ମା ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ କରି ଶ୍ରୀବଳଭଦ୍ର ,ଶ୍ରା ଜଗନ୍ନାଥ, ଓ ସୁଭଦ୍ରାଙ୍କୁ ଖାଇବାକୁ ଦେବେ ।ସାଧାରଣତଃ ଏହି ପିଠା ବିରି ଓ ଅଟା ରେ ପ୍ରସ୍ତୁତ କରାଯାଇଥାଏ ।
ଏହି ଅବସରକୁ ମନେପକାଇ ଶ୍ରୀ ମନ୍ଦିରରେ ପହିଲି ନୀତିକାନ୍ତି ଭୋଗ କରାଯାଏ । ପହିଲି ଭୋଗରେ ମହାପ୍ରଭୁଙ୍କୁ ବଡ ଝିଲି, ବଡି , ନାଡି, ଚୁଡା ଭଜା, କାକରା, ଆରିସା , ଛତୁ ଆଦି ବିଭିନ୍ନ ଭୋଗ ଅର୍ପଣ କରାଯିବ । ଏହି ଅବସରରେ ଘରେ ଘରେ ପହିଲି ଭୋଗ ହେବାର ପରମ୍ପରା ରହିଛି ।
ଖାସ କରି ଏହି ଦିନରେ ମହାପ୍ରଭୁଙ୍କ ପାଖରେ ମୁଆଁ ଭୋଗ କରାଯାଇଥାଏ ।