ବରଗଡ (ଏଟିଆର ବ୍ୟୁରୋ); ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ତେବେ ଏହି ମୁକ୍ତାକାଶ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ସାଜସଜ୍ୱା । କାନ୍ଥ ବାଡ ଠାରୁ ଆରମ୍ଭ କରି ଲାଇଟ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ସୁନ୍ଦର କାରିଗରୀ । କାନ୍ଥରେ ପୈାରାଣିକ ଚିତ୍ର କଳା ଦର୍ଶାଯାଇଥିବା ବେଳେ ଆଧୁନିକ ଲାଇଟରେ ସଜା ଯାଇଛି ବରଗଡ ସହରକୁ । ହାଟପଦାଠାରେ ମହାରାଜା କଂସଙ୍କର ୪୫ ଫୁଟ ଉଚ୍ଚତା ଏବଂ ୧୦୦ ଫୁଟ ପ୍ରସ୍ତର ରାଜ ଦରବାର କାମ ସରିଯାଇଛି । ୭୦ତମ ବରଗଡ ଧନୁଯାତ୍ରାକୁ ସୁନ୍ଦର କରିବା ପାଇଁ ଧନୁଯାତ୍ରା କମିଟି ବ୍ୟାପକ ସୁବିଧା କରିଥିବା ଜଣାଇଛି ।
ଦୀର୍ଘ ୧୧ ଦିନ ଧରି ଚାଲିବ ଏହି ଧନୁଯାତ୍ରା । ତେବେ ଏଠାକାର ମୁକ୍ତାକାଶ ନାଟକ ଦେଖିବା ପାଇଁ ଦେଶ ବାହାରରୁ ମଧ୍ୟ ଦର୍ଶକ ଆସୁଥିବା ଦେଖିବାକୁ ମିଳିଛି । ତେବେ ଏହି ବର୍ଷ ୱେବ ପୋଟାଲ ମାଧ୍ୟମରେ ଦେଖିପାରିବେ ଲାଇଭ ବରଗଡ ଧନୁଯାତ୍ରା । ଗତ ୪ ତାରିଖରେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏକ ୱେବ ସାଇଟର ଉନ୍ମୋଚନ କରିଛନ୍ତି । ଏହି ୱେବ ସାଇଟ ହେଲା (http://www.bargarhdhanuyatra.in) ।