ରାଜ୍ୟରେ ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ ଓଡିଶାରେ କିଏ ମନ୍ତ୍ରୀମଣ୍ଡଳ ଗଢିବ ତାକୁ ନେଇ ଚାଲିଛି ଛକାପଞ୍ଝା । କେତେବେଳେ କଂଗ୍ରେସ ଗଣମାଧ୍ୟମରେ ବୟାନ ରଖୁଛି ସେ ଆଗାମୀ ଦିନରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ତ ପୁଣି କେତେବେଳ ବିଜେଡି ଓ ବିଜେପି ସରକାର ଗଢିବାକୁ ନେଇ କରୁଛନ୍ତି ଆଗୁଆ ଅଙ୍କକଷା । ଫଳାଫଳ ଇଭିଏମରେ ସିଲ ଥିବା ବେଳେ ପରସ୍ପରକୁ ଶପଥ ଉତ୍ସବକୁ କରୁଛନ୍ତି ଆଗୁଆ ନିମନ୍ତ୍ରଣ ।
କେନ୍ଦ୍ରାପଡାରେ ମୋଦି ବିଜେପି ସରକାର କଲେ ସେ ପୁଣି ଓଡିଶା ଆସିବେ ବୋଲି ପ୍ରତିଶୃତି ଦେଲା ବେଳେ ବିଜେଡି ସୁପ୍ରିମୋ ମୋଦିଙ୍କୁ ବିଜେଡି ମନ୍ତ୍ରୀମଣ୍ଡଳ ସଭାକୁ କଲେଣି ଅଥିଥି ଭାବେ ନିମନ୍ତ୍ରଣ । ଓଡିଶା ରାଜନୀତିରେ ଏବେ ଏମିତି ଚାଲିଛି ଏମିତି ପଲିଟିକାଲ ଡ୍ରାମା । ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବେଳେ କହିଥିଲେ କି ରାଜ୍ୟରେ ବିଜେପି ସରକାର ଆସିବ ତେଣୁ ସେ ପୁଣି ଓଡିଶା ଆସିବେ । ଯାହାକୁ ନେଇ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ୱରରେ ମୋଦିଙ୍କୁ ବିଜେଡିର ଶପଥ ଗ୍ରହଣ ଉତ୍ସବକୁ ଡାକି କରିଥିଲେ କଟାକ୍ଷ ।
ଯାହାକୁ ନେଇ ଗତକାଲି ଠାରୁ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତିନିଦିନ ହେଲା ଚାଲିଥିବା ସେଇ ଡ୍ରାମାରେ ଆଜି ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱରରେ ଏହାର ଜବାବରେ କହିଛନ୍ତି ଯେ ପରିବର୍ତ୍ତନ ନିଶ୍ଚିନ୍ତ । ବିଜେପି ସରକାର ଗଢିବ ଯାହାର ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଆଦରର ସହକାରେ ଡାକି ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଇବୁ । ଯାହାକୁ ନେଇ ରାଜନୈତିକ ପାଣିପାଗରେ ଦେଖା ଦେଇଛି ହଟ ଚମଟ । ତେବେ ଅପେକ୍ଷା ରହିଲା ମେ ୨୩ ତାରିଖକୁ । କିଏ କାହା ଶପଥ ଗ୍ରହଣ ଉତ୍ସବରେ ଅତିଥି ହେବ ତାହା ଦେଖିବାକୁ ରହିଲା ବାକି ।