କନ୍ଧମାଳ(ଏଟିଆର ବ୍ୟୁରୋ): କନ୍ଧମାଳ ଦାରିଙ୍ଗବାଡି ଅଞ୍ଚଳରେ ଏକ ବିଲରୁ ଡିଜେଲ ବାହାରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳି ଯାଇଛି । ଅନ୍ୟପଟେ ବିଲରୁ ତେଲ ବାହାରୁଥିବାରୁ ଲୋକମାନେ ଏହାକୁ କଂସାବାସନ ଓ ବାଲ୍ଟିରେ ପୁରାଇ ନେଇ ଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦାରିଙ୍ଗି ବାଡିରେ ଥିବା ଭାରତୀୟ ପେଟ୍ରୋଲ ପମ୍ପ ନିକଟରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଏକ ବିଲରୁ ଏହି ଏହି ତେଲ ବାହାରୁଛି ।
ଅନ୍ୟପଟେ ଟାଙ୍କିରୁ ତେଲ ଲିକ ହେଉନାହିଁ ବୋଲି ପେଟ୍ରୋଲ ପମ୍ପ କତ୍ତୁପକ୍ଷ ସୂଚନା ଦେଇଛନ୍ତି । ତେବେ ତେଲ ବାସ୍ତବରେ ମାଟି ତଳୁ ବାହାରୁଛି ନାଁ ପେଟ୍ରୋଲ ଟାଙ୍କିରୁ ଲିକ ହେଉଛି ତାକୁ ନେଇ ସନ୍ଦେହ ଦେଖାଦେଇଛି । ଅନ୍ୟପଟେ ଚାଷ ଜମିରେ ଥିବା ଏକ ପଥର ଖୋଲରୁ ଏହି ତେଲ ବାହାରୁ ଥିବାରୁ ବିଲରେ ଥିବା ତଳି ଗଛ ଗୁଡିକ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ଲିକ ହୋଇଥିବା ସ୍ଥାନରୁ ପାଖାପାଖି ୨୦ ରୁ ୩୦ ଲିଟର ତେଲ ବୋହି ନେଇଥିବା ଜଣା ପଡିଛି । ସେଠାରେ ଏବେ ପୋଲିସ ମୁତୟନ ହୋଇଛନ୍ତି ।