ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଏବେ ଗାଁ ଠୁ ସହର ଉତ୍ସବ ମୁଖର । ସବୁଆଡେ ଦୀପାବଳିର ମାହୋଲ । ଏନେଇ ବାଣ ଦୋକାନ ଠାରୁ ଆରମ୍ଭ କରି ଲାଇଟ ଦୋକାନ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଗଲାଣି ଭିଡ । ବାଣ ଦୋକାନୀ ମାନେ ମଧ୍ୟ ସକାଳୁ ସକାଳୁ ବାଣର ପସରା ମେଲେଇ ସାରିଲେଣି । କିମ୍ବଦନ୍ତୀ ଅନୁସାରେ ବା ରାମାୟଣ ଅନୁସାରେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ଲଙ୍କାରେ ରାବଣଙ୍କୁ ବଦ୍ଧ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ ।
ରାମଙ୍କୁ ସ୍ୱାଗତ କରିବା ପାଇଁ ପୁରା ଅଯୋଧ୍ୟା ସଜେଇ ହୋଇଥିଲା ଦୀପର ଆଲୋକରେ । ଦୀପାବଳି ଏକ ଭାରତୀୟ ପର୍ବ । ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଏ । ଅନ୍ୟପଟେ ଜୈନ ଧର୍ମରେ ଦୀକ୍ଷିତ ଭକ୍ତମାନେ ୨୪ ତୀର୍ଥଙ୍କର ମହାବୀରଙ୍କ ନିର୍ବାଣ ଦିବସ ରୂପେ ଏହି ଦିବସକୁ ପାଳନ କରିଥାନ୍ତି । ସେହିଭଳି ଆଜି ଦିନ ପଛରେ ଆଉ ଏକ ପୁରାଣ କିମ୍ବଦନ୍ତୀ ମଧ୍ୟ ରହିଛି । ଦୈତ୍ୟରାଜ ବଳି ଥିଲେ ମହାଦାନୀ । ଯାହାଙ୍କ ଦାନକୁ ନେଇ ଦେବତାମାନେ ମଧ୍ୟ ଚିନ୍ତାରେ ଥିଲେ । ସେ ତାଙ୍କ ଦାନ ବଳରେ ଆଉ ସ୍ୱର୍ଗ ଅଧିକାର କରିନେବେନି ତ ।
ତେଣୁ ବିଷ୍ଣୁ ବାମନ ରୂପ ଧାରଣ କରି ବଳିଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥୀବି, ଗୋଟିଏ ପାଦରେୀ ସ୍ୱର୍ଗ । ଆଉ ତୃତୀୟ ପାଦରେ ଶେଷରେ ବଳିଙ୍କୁ ପାତାଳକୁ ଚାପି ଦେଇଥିଲେ । ଏହି ଅବସରରେ ବଳି ଗୋଟିଏ ଦିନ ମତ୍ତ୍ୟପୁରକୁ ଆସିବା ପାଇଁ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ । ଆଜିର ଦିନରେ ବଳି ମର୍ତ୍ତ୍ୟକୁ ଆସବା ପାଇଁ ବଳିଙ୍କୁ ସମ୍ମତି ଦେଇଥିଲେ । ଏହି ଅବସରରେ ଆଜିର ଦିନରେ ବଳିଙ୍କୁ ମର୍ତ୍ତ୍ୟ ପୁରରେ ସ୍ୱାଗତ କରିବା ପାଇଁ ମର୍ତ୍ତ୍ୟବାସୀ ଦୀପ ଜାଳି ବଳିଙ୍କୁ ସ୍ୱାଗତ କରିବାର ପରମ୍ପରା ରହିଛି ।