ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟର ଜିଲ୍ଲାଗୁଡିକୁ ୨ ଟି କ୍ୟାଟେଗୋରି ତଥା ଏ ଆଉ ବି ରେ ବିଭକ୍ତ କରାଯାଇଛି । ସେହିଅନୁଯାୟୀ ଏ’ କ୍ୟାଟେଗୋରିରେ ଥିବା ଜିଲ୍ଲାଗୁଡିକରେ ପ୍ରଥମେ ଡ୍ରାଇଭିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ବି’ କ୍ୟାଟେଗୋରିରେ ଥିବା ଜିଲ୍ଲା ଗୁଡିକରେ ଆଜିଠୁ ସ୍ଲଟ ବୁକିଂ ଆରମ୍ଭ ବୋଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯେଉଁମାନେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବେ ସେହି ମାନେ ହିଁ ବର୍ତ୍ତମାନ ସ୍ଲଟ ବୁକିଂ କରିପାରିବେ । ଏହି ସ୍ଲଟ ବୁକିଂ ପ୍ରକ୍ରିୟା ପ୍ରତିଦିନ ସକାଳ ୭ଟାରୁ ୧୦ ଟା ଭିତରେ କରାଯିବ ।
ସେହିପରି ଆଜିଠୁ ଯେଉଁ ଜିଲ୍ଲାଗୁଡିକରେ ସ୍ଲଟ ବୁକିଂ ଆରମ୍ଭ ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ । କିନ୍ତୁ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ୧୨ ତାରିଖରେ ଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ ବୁକିଂ କରାଯିବ ।