ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ବଡ ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ସହର ମାନଙ୍କର ଜଳବାୟୁ ପରିବର୍ତ୍ତନ ଚିନ୍ତା ବାଢାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର ୫ଟି ସହରରେ ଡପଲାର ରାଡାର ଲଗାଇବାକୁ ନିଷ୍ପତି ନେଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସହରରେ ଏହି ଡପଲାର ରାଡାର ଲଗାଯିବ । ସେଥିମଧ୍ୟରୁ ଓଡିଶାର ଭୁବନେଶ୍ୱରରେ ଗୋଟିଏ ଡପଲାର ରାଡାର ସ୍ଥାପନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ରାଡାର ଜରିଆରେ ଭୁବନେଶ୍ୱର, କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା ସହରାଞ୍ଚଳକୁ ଜଳବାୟୁ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପ୍ରଦାନ କରାଯିବ । ଏହି ରାଡାର ବାୟୁମଣ୍ଡଳର ଚାପ ଓ ତାପ, ତାପମାତ୍ରା, ବର୍ଷା, ବଜ୍ରପାତ, ଘୂର୍ଣ୍ଣିଝଡ, ଧୂଳିଝଡ ଭଳି ବିଭିନ୍ନ ସତର୍କ ସୂଚନା ପ୍ରଦାନ କରିବ ।
ଏହା ସହ କେଉଁ ଅଞ୍ଚଳରେ କେତେ ବର୍ଷା ଓ କେତେ ତାପମାତ୍ରା ରହିଛି ତାହା ମଧ୍ୟ ଏହି ରାଡାର ମାଧ୍ୟମରେ ଜାଣି ହେବ । ଭୁବନେଶ୍ୱରରେ କେଉଁ ଜାଗାରେ ଏହି ରାଡାର ଲଗାଯିବ ତାହା ସର୍ଭେ କରାଯାଇ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ସହରରେ ବର୍ଷା ହେଉଥିବା ବେଳେ ଅନ୍ୟ ସହରରେ ଜଳ ସଙ୍କଟ ଦେଖିବାକୁ ମିଳୁଛି । ଏପରିକି ଗୋଟିଏ ସହରରେ ଜଳବାୟୁରେ ଅନେକରାଂରେ ପାର୍ଥକ୍ୟ ଦେଖାଯାଉଛି । ଏହାକୁ ନଜରରେ ରଖି ସହରାଞ୍ଚଳରେ ଜଳବାୟୁ ଅନୁଧ୍ୟାନ କରିବାକୁ ଆଇଏମଡି ପକ୍ଷରୁ ଦେଶର ବିଭିନ୍ନ ସହରରେ ଡପଲାର ରାଡାର ସ୍ଥାପନ କରିବାକୁ ଯୋଜନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି ।