ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ହେବ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର । ଭୁବନେଶ୍ୱରରେ ସୈନିକ ସ୍କୁଲ ନିକଟରେ ଥିବା ଡମ୍ପିଂ ୟାର୍ଡରୁ ଗତକାଲି ଠାରୁ ଅଳିଆ ଉଠାଯାଇ ନାହିଁ । ଗତକାଲି ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ଅଳିଆ ଫୋପାଡିବାକୁ ନେଇ ସ୍ଥାନୀୟ ଲୋକ ମାନେ ବିରୋଧ କରିଥିଲେ । ସ୍ଥାନୀୟ ଲୋକ ମାନେ ବିଏମସିର ୧୦ ଟି ଗାଡିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି । ସୈନିକ ସ୍କୁଲ ନିକଟରେ ଥିବା ଡମ୍ପିଂ ୟାର୍ଡରୁ ପାଖାପାଖି ୧୫୦ ଟ୍ରକ ଅଳିଆ ଅବର୍ଜନା ଦାରୁଠେଙ୍ଗ ଡମ୍ପିଂ ୟାର୍ଡକୁ ପଠାଯାଏ । ହେଲେ ଗତକାଲି ହୋଇ ଥିବା ବିରୋଧ ଯୋଗୁ ସୈନିକ ସ୍କୁଲ ନିକଟରେ ଥିବା ଡମ୍ପିଂ ୟାର୍ଡରୁ ଅଳିଆ ଉଠାଯାଇନାହିଁ । ଫଳରେ ଆଳିଆ ଗଦା ହୋଇ ପଡିରହିଛି ।
ଅନ୍ୟପଟେ ବିଏମସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ସମାଧାନର ବାଟ ଫିଟି ନାହିଁ । ଦାରୁଠେଙ୍ଗରେ ଥିବା ଡମ୍ପିଂ ୟାର୍ଡକୁ ନେଇ ବାରମ୍ବାର ଏହି ଭଲି ସମସ୍ୟା ଦେଖିବାକୁ ମିଳୁଛି । ସେପଟେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । ରାଜଧାନୀ ଭୁବନେଶ୍ୱରର ୪୩ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କରାଯିବ । ଏନେଇ ଦାରୁଠେଙ୍ଗ ବାସୀଙ୍କ ସହ ଆଲୋଚନା ସରିଛି । ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ହେବା ଦ୍ୱାରା ଅଳିଆ ଆବର୍ଜନାକୁ କମ୍ପୋଷ୍ଟ କରାଯାଇ ପୁଣି ବ୍ୟବହାର କାରାଯିବ ।