ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ଏବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଅଚାନକ ସ୍କୁଲ ଓ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଗସ୍ତ କରି ବ୍ୟବସ୍ଥା ଉପରେ ରଖୁଛନ୍ତି କଡା ନଜର । ଏହି ଅବସରରେ ଆଜି ମନ୍ତ୍ରୀ ବାଲିଅନ୍ତା ଉପକଣ୍ଠ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଯେତେବେଳେ ସମୟ ୧୦ ଟା ୪୦ ହୋଇଥିଲା । ମାତ୍ର ୨ ଜଣ କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ କର୍ମଚାରିମାନେ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ।
ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କୁ ମନ୍ତ୍ରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କେବଳ ସେତିକି ନୁହେଁ ଅନୁପସ୍ଥିତ ରହିଥିବା କର୍ମଚାରୀଙ୍କ ଗୋଟିଏ ଦିନର ଦରମା କାଟିବା ପାଇଁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଅନ୍ୟପଟେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ୂସମୟ ବଦଳିଛି । ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ପୂର୍ବରୁ ଏହା ୧୦ ଟାରୁ ୪ ଟା ରହିଥିଲା ।