ଝାରସୁଗୁଡା ( ଏଟିଆର ବ୍ୟୁରୋ): ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡପଲର ଭେରି ହାଇ ଫ୍ରିକ୍ବେନ୍ସି ଓମନି ଡିରେକ୍ସନାଲ ରେଞ୍ଜ (ଡିଭିଓଆର) ମେସିନ କାର୍ୟ୍ୟକ୍ଷମ କରାଯିବ । ଏହି ବ୍ୟବସ୍ଥା ଦ୍ବାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ । ଏନେଇ ବିମାନ ବନ୍ଦର ନିର୍ଦ୍ଦେଶ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ବ୍ୟବସ୍ଥା ପାଇଁ ଗତ ଫେବ୍ରୁଆରି ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।
ଗତ କିଛିଦିନ ତଳେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଫ୍ଲାଇଟ ଇନ୍ସପେକ୍ସନ ୟୁନିଟ୍ ଏହି ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା କରିଥିଲେ। ଏହା ସହ ଏହି ବ୍ୟବସ୍ଥା ହେଲା ପରେ ଭିଜିବିଲିଟି ମାନଦଣ୍ଡ ୫ ହଜାର ମିଟରରୁ ୨୩ ଶହ ମିଟରକୁ ଖସି ଆସିବ ବୋଲି ଶ୍ରୀ ଚୌହାନ ଜଣାଇଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରରେ ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଉଥିଲା । ଏନେଇ ଯାତ୍ରୀମାନେ ଅସୁବିଧାର ସମୁଖିନ ଦେଉଥିଲେ ।
ଏହି ସମସ୍ୟା ସମାଧନ ପାଇଁ ଗତ ଫେବୃୟାରୀ ମାସରୁ ଡପଲର ଭେରି ହାଇ ଫ୍ରିକ୍ବେନ୍ସି ଓମନି ଡିରେକ୍ସନାଲ ରେଞ୍ଜ (ଡିଭିଓଆର) ମେସିନ ଆସିଥିଲେ ହେଁ ଏହାକୁ କାର୍ୟ୍ୟକ୍ଷମ କରାଯାଇ ପାରୁନଥିଲା । ଏବେ ଏହାର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାରୁ ଆଜିଠାରୁ କାର୍ୟ୍ୟକ୍ଷମ କରାଯିବ ।