ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । କମିଛି ରାଜ୍ୟର ଅଭିବୃଦ୍ଧି ହାର । ହ୍ରାସ ପାଉଛି ରାଜ୍ୟ ଅର୍ଥନୀତି । ବିଧାନସଭାରେ ବଜେଟ ଉପସ୍ଥାପନା ହେବା ପୂର୍ବରୁ ଆସିଲା ଏହି ସର୍ଭେ ରିପୋର୍ଟ । ବିଧାନସଭାରେ ୨୦୧୯ -୨୦ ବର୍ଷ ପାଇଁ ଅର୍ଥ ଆଗତ ହେବା ପୂର୍ବରୁ ରାଜ୍ୟ ଅଭିବୃଦ୍ଧି ହାର କମିଥିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଗତବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହା ୬.୧୬ରହିବ ବୋଲି ଆକଳନ କରାଯାଉଛି ।
ଯଦି ଏଭଳି ହୁଏ ତେବେ ରାଜ୍ୟରେ ଜଣଙ୍କା ମୁଣ୍ଡପିଚ୍ଛା ଆୟ ମଧ୍ୟ କମିବ । ତେବେ ଫୋନି ବାତ୍ୟା ଓ କୃଷି ଉତ୍ପାଦନ କମିଥିବାରୁ ଅଭିବୃଦ୍ଧି ହାର ହ୍ରାସ ପାଇଛି । ଏହା ସହ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦା ଅବସ୍ଥା ଯୋଗୁଁ ମଧ୍ୟ ପ୍ରଭାବିତ ହୋଇଛି ରାଜ୍ୟର ଅଭିବୃଦ୍ଧି । ତେବେ ଜାତୀୟ ଅଭିବୃଦ୍ଧି ମଧ୍ୟ ୨୦୧୯-୨୦ବର୍ଷରେ ୫ପ୍ରତିଶତକୁ ଖସିଆସିବା ନେଇ ଆକଳନ କରାଯାଉଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଆୟ ଏକ ଲକ୍ଷ ଏକ ହଜାର ୫୮୭ଟଙ୍କା ରହିଛି । ଯାହାକି ୨୦୧୮-୧୯ ବର୍ଷରେ ରାଜ୍ୟରେ ମୁଣ୍ଡ ପିଛା ଆୟ ୯୫,୧୬୪ ଟଙ୍କା ରହିଥିଲା । ସେହିପରି୨୦୧୯-୨୦ରେ ଜାତୀୟ ମୁଣ୍ଡପିଛା ଆୟ ୧ଲକ୍ଷ ୩୫ହଜାର ୦୫୦ ଟଙ୍କା ଥିଲା ।