ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର ମାଟ୍ରିକ ପରୀକ୍ଷା ପାଇଁ ୨୮୮୮ ଟି ପରୀକ୍ଷାକେନ୍ଦ୍ର କରାଯିବ । ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ଏଣିକି ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଏଥର ମାଟ୍ରିକ ପ୍ରଶ୍ନପତ୍ରକୁ କୋଡିଙ୍ଗ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଏଥର ୧ ହଜାର ଟି ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ପରିଷଦ ସୂଚନା ଦେଇଛି । ସେହିଭଳି ସମସ୍ତ ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥର ୨୨ ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରିବାକୁ ସ୍ଥିର ହୋଇଛି । ୭ ତାରିଖରେ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ । ସେହିଭଳି ୮ ତାରିଖରେ ଓଏମଆର ଉପସ୍ଥାନ ଓ ଆଡମିଟ କାର୍ଡ ସ୍କୁଲକୁ ପଠାଯିବ ।