ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ନିକଟ ୭୫ମିଟର ଉଚ୍ଛେଦ ଚାଲିଥିବା ବେଳେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଜାରୀ ରହିଛି । ଏହି ସମୟରେ ଏଏସଆଇ ପକ୍ଷରୁ ବିଭିନ୍ନ ଐତିହସ୍ଥଳି ନିକଟରେ କଡାକଡି ଭାବେ ଆମସାର ଆକ୍ଟ ଲାଗୁ କରିବା ନେଇ ସୂଚନା ପ୍ରଦାନ କରାଯାଇଛି । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଯିବ । ଐତିହ ସ୍ଥଳି ନିକଟରେ ଅବୈଧ ନିର୍ମାଣଗୁଡିକୁ ଭାଙ୍ଗିବାକୁ ଆବଶ୍ୟକତା ଥିବା ସ୍ଥାନରେ ଅଦାଲତର ଆଶ୍ରୟ ନିଆଯିବ । ସେହିପରି ଐତିହ ବା ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ ନିର୍ମାଣ କାମ ଆଦି ନକରିବାକୁ ଫତେପୁର ସିକ୍ରି ଭଳି ପଦକ୍ଷେପ ନିଆଯିବ ।
ତେବେ ଏଏସଆଇ ପକ୍ଷରୁ ଘଟଣାସ୍ଥଳରେ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ କରାଯିବ ବୋଲି ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଥିବା ବିଭିନ୍ନ ଐତିହ ସ୍ଥଳି ନିକଟରେ ଦିନକୁ ଦିନ ଜବରଦଖଲ ଓ ଅବୈଧ ନିର୍ମାଣ କାର୍ଯ୍ୟ ବଢିବାରେ ଲାଗିଛି । ତେବେ ଏ ବାବଦରେ ରାଜ୍ୟ ସରକାରଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଚିଠି ମାଧ୍ୟମରେ ଅବଗତ କରାଇଥିଲା । ହେଲେ ଏ ବାବରେ କୌଣସି କାର୍ଯ୍ୟନୁଷ୍ଠାନ ନେବା ବଦଳରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ହିଁ ପ୍ରଥମେ ନିଜର ଅବୈଧ ନିର୍ମାଣ ଜାରି ରଖିଛି । ଅନ୍ୟପଟେ ବିଡିଏ କିମ୍ବା ବିଏମସି କର୍ତ୍ତୃପକ୍ଷ ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି । ଐତିହ୍ୟ ସ୍ଥଳି ପ୍ରୋଟେକ୍ଟେଡ଼ ଏରିୟା କିମ୍ବା ପ୍ରୋହିବିଟେଡ ଏରିୟା ମଧ୍ୟରେ ଗଢି ଉଠିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରିପାରିନାହାନ୍ତି ବୋଲି ଅତିରିକ୍ତ ମହାନିର୍ଦ୍ଦେଶକ କହିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ୨୧ରୁ ଆମସାର ଆକ୍ଟ ବିରୋଧରେ ହେଉଥିବା ଅବୈଧ ନିର୍ମାଣ ନେଇ କମିଶନରେଟ ପୋଲିସଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ଏତଲା ବାବଦରେ ଭୁବନେଶ୍ୱର ଏଏସଆଇ ଭୁବନେଶ୍ୱର ସର୍କଲ ପ୍ରତ୍ନତତ୍ତ୍ୱ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ହେଲେ ଏଏସଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରି ନିଜର କର୍ତ୍ତବ୍ୟ ସାରିଦେଲେ । ତେବେ ଏ ବାବଦରେ ପଚାରିବାରୁ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟ ବନ୍ଦ କରିବାକୁ ଏଏସଆଇ ପକ୍ଷରୁ ନିଆଯିବା ସହ ଯଦି କାମ ବନ୍ଦ ନହୁଏ ତେବେ ଏଏସଆଇ ପକ୍ଷରୁ ନିୟମାନୁଯାୟୀ ଅଦାଲତର ସାହାରା ନିଆଯିବ ବୋଲି କହିଛନ୍ତି । ଏ ସମସ୍ତ ସମ୍ପର୍କରେ ଏଏସଆଇର ମହାନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇ କହିଛନ୍ତି ଏଏସଆଇ ତାର କାମ କରୁଛି ଏବଂ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।