ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି । ରାଜ୍ୟର ମୋଟ ୩କୋଟି ୧୮ଲକ୍ଷ ୭୮୭ଜଣ ଭୋଟର ଏଥର ମତ ଦେବେ । ଏଥିମଧ୍ୟରେ ୧କୋଟି ୬୩ ଲକ୍ଷ ୩୭ହଜାର ୩୧୦ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୧କୋଟି ୫୪ଲକ୍ଷ ୬୦ହଜାର ୫୪୫ଜଣ ମହିଳା ଅଛନ୍ତି । ସେହିପରି ୨୯୩୨ଜଣ ତୃତୀୟ ଲିଙ୍ଗ ରହିଥିବା ବେଳେ ପ୍ରଥମ ଥର ଲାଗି ମୋଟ ୧ଲକ୍ଷ ୯୦ହଜାର ୩୭ଜଣ ଭିନ୍ନକ୍ଷମ ଭୋଟରଙ୍କୁ ସାମିଲ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ଅଧିକ ସୂଚନା ଦେଇ ସେ କହିଛନ୍ତି କି’ ୨୦୧୮ରେ ମୋଟ ୩କୋଟି ୧୨ଲକ୍ଷ ୫୨ହଜାର ୩୩ଜଣ ଭୋଟର ଥିଲେ । ସେପଟେ ପ୍ରଥମ କରି ରାଜ୍ୟର ଚଳିତବର୍ଷ ନିର୍ବାଚନରେ ୧୮ରୁ ୧୯ବର୍ଷ ବୟସର ମୋଟ ୫ଲକ୍ଷ ୪୫ହଜାର ୪୦୧ଜଣ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି । ନିର୍ବାଚନ ଲାଗି ଏଥରକ ଏକ ମାନଦଣ୍ଡ ପ୍ରସ୍ତୁତି କରାଯାଇଥିବା ସେ ଜଣାଇଛନ୍ତି । ଯେଉଁଥିରେ ସହରାଞ୍ଚଳ ଲାଗି ୧୪ଶହ ଭୋଟର ଓ ଗ୍ରାମାଞ୍ଚଳ ପାଇଁ ୧୨ଶହ ଭୋଟରଙ୍କୁ ଭୋଟ ଦେବା ଲାଗି ସୁଯୋଗ ମିଳିବ । ନିର୍ବାଚନ ପାଇଁ ୩୭ହଜାର ୬୦୬ଟି ବୁଥ କରାଯିବ । ତେବେ ଏସବୁ ଭିତରେ ଯଦି ବା କାହାର କିଛି କୌଣସି ଜାଗାରେ ତୃଟି ରହିଥାଏ ତେବେ ସେମାନେ କାଲିଠୁ ଏନେଇ ଆବେଦନ କରି ପାରିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।