ପୁରୀ ( ଏଟିଆର ବ୍ୟୁରୋ): ସାରାଦେଶରେ ବର୍ତ୍ତମାନ ନିର୍ବାଚନ ତାତି ଲାଗି ରହିଥିବା ବେଳେ ନିର୍ବାଚନୀ ଫ୍ଲାଇଁ ସ୍କ୍ୱାଡ୍ ମଧ୍ୟ ସେତିକି ତତ୍ପର ହୋଇ ଉଠିଛି । ଅସାଧୁ ଭାବେ ଟଙ୍କା ବାଣ୍ଟି ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବା ନେତାଙ୍କୁ କରୁଛି ସାବାଡ୍ । ଏଇ ନିକଟରେ ରାଉରକେଲାରେ ଲକ୍ଷାଧିକ ଟଙ୍କା ଏକ ବ୍ୟାଗରେ ଫୋପାଡି ଏକ ଅଡିକାର ଚାଲି ଯାଇଥିଲା । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଆଜି ପୁଣି ସେହିଭଳି ଏକ ଘଟଣା ଘଟିଛି ପୁରୀ ଗୋପ ଅଞ୍ଚଳରେ । ଜଣେ ସରପଞ୍ଚଙ୍କ ଗାଡିରୁ ଫ୍ଲାଇଁ ସ୍କ୍ୱାଡ୍ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ।
ସୂଚନା ଅନୁସାରେ ପୁରୀ କାକଟପୁର ରାସ୍ତା ଗୋପ ପାଖରେ ବିଳମ୍ବିତ ରାତିରେ ନିର୍ବାଚନ ଫ୍ଲାଇ ସ୍କ୍ୱାର୍ଡ ଗାଡି ଯାଞ୍ଚ କରୁଥିବା ବେଳେ ନୂଆପଡା ପାଣିଛତ୍ର ନିକଟରେ ଥୁଆ ହୋଇଥିବା କାରରୁ ଏହି ଟଙ୍କା ଜବତ କରାଯାଇଛି । ଜଣେ ସରପଞ୍ଚଙ୍କ କାରରୁ ଏହି ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଟଙ୍କା ମିଳିବା ପରେ ଏ ଟଙ୍କା କୁଆଡେ ଯାଉଥିଲା? କେଉଁଠୁ ଆସିଛି ? କାହିଁକି ଆସିଛି ? ତାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ତେବେ ପ୍ରାଥମିକ ସ୍ତରରେ ଏହି ଟଙ୍କା ନିର୍ବାଚନରେ ଅପବ୍ୟବହାର ପାଇଁ ଆସିଥିବା ସନ୍ଦେହ କରାଯାଉଛି ।